ଅନାଲୋଚିତ ପୁରାଣକାର 'କବି ନରସିଂହ ମାଠ'
ଓଡିଆ ମଧ୍ୟଯୁଗୀୟ ତଥା ଭଞ୍ଜୀୟ କାବ୍ୟ ଯୁଗର ଅବସାନ ପରେ ପରେ ଆଧୁନିକତାର ପାଞ୍ଚଜନ୍ୟ ଶଙ୍ଖନିନାଦ ପୂର୍ବକ ଭାରତୀୟ ପରମ୍ପରା ଓ ଜୀବନବୋଧକୁ ଉପଜୀବ୍ୟ କରି ପୁରାଣ ଚର୍ଚ୍ଚିତ କାବ୍ୟ-କଳା ସମନ୍ଵିତ ଶାଶ୍ଵତ ସ୍ରୋତସ୍ଵତୀ ସାହିତ୍ୟ ସାଧନାର ପୀଠ ଗଞ୍ଜାମ ଭୂମିର ପୁଣ୍ୟତୋୟା ଋଷିକୁଲ୍ୟାର ଦକ୍ଷିଣ ଦିଗରେ ଆବିର୍ଭୂତ ହୋଇ ସ୍ଵୀୟ ଲେଖନୀର ତୂଳୀ ତଳ୍ପରେ ପୁରାଣ ସାହିତ୍ୟର ପବିତ୍ର ଧାରାକୁ ପ୍ଳାବିତ କରି ଅନୁରାଗୀ ପାଠକ ମଣ୍ଡଳୀର ଅନ୍ତରାତ୍ମାରେ କାବ୍ୟରସର ଶାନ୍ତି ସଲୀଳ ସେଚନ କରିଛନ୍ତି ପ୍ରତିଭା ସମ୍ପନ୍ନ କବି ସ୍ଵର୍ଗୀୟ ନରସିଂହ ମାଠ।
କବି ନରସିଂହ ମାଠ ଗଞ୍ଜାମ ଜିଲ୍ଲା, ବଡଖେମୁଣ୍ଡି ତାଲୁକା (ବର୍ତ୍ତମାନର ସାନଖେମୁଣ୍ଡି ପଞ୍ଚାୟତ ସମିତି) ଅନ୍ତର୍ଗତ କଙ୍କୋରଡା ନିକଟସ୍ଥ କରାଖଣ୍ଡି ଗ୍ରାମରେ ୧୮୪୯ ମସିହା ଆଶ୍ଵିନ ମାସ କୃଷ୍ଣପକ୍ଷରେ ବାଣାୟତ ଓଡିଆ ବଂଶର ଏକ କୃଷକ ପରିବାରରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ପିତାଙ୍କ ନାମ ଚନ୍ଦ୍ରମଣି ମାଠ, ମାତାଙ୍କ ନାମ ପଦ୍ମାବତୀ ଏବଂ ଧର୍ମ ପତ୍ନୀଙ୍କ ନାମ ଥିଲା ରମ୍ଭାଦେବୀ।
କବି ନିଜ ଠିକଣା ଓ କଳା କଳନା ସମ୍ପର୍କରେ ସ୍ଵୀୟ ଗ୍ରନ୍ଥ "ରଘୁନାଥ କୀର୍ତ୍ତନ"ରେ ନିମ୍ନମତେ ଉଲ୍ଲେଖ କରିଛନ୍ତି।
(୧) "ଋଷିକୁଲ୍ୟା ଦକ୍ଷିଣ ତୀରକୁ ବେନିକୋଶ ; ଅନ୍ତରେ କରାଖଣ୍ଡି ନାମେଣ ଗ୍ରାମେ ବାସ ।"
(ରଘୁନାଥ କୀର୍ତ୍ତନ, ତୃତୀୟ ଅବକାଶ [ଉତ୍ତରାର୍ଦ୍ଧ] ପୃ-୧୩୯)
(୨) "ସୁପୁଣ୍ୟ ଋଷିକୁଲ୍ୟା ସରିତ ଦକ୍ଷିଣରେ, ଦୂର ନୋହେ ନିକଟ ଶ୍ରୀବଡ ଖେମୁଣ୍ଡିରେ ।
ଜାହ୍ନବୀ ବଂଶ କୃପାମୟ ଶ୍ରୀ ଦେବଙ୍କର, ରାଜ୍ୟରେ କରାଖଣ୍ଡି ଗ୍ରାମେ ନିବାସ ମୋର ।"
(ରଘୁନାଥ କୀର୍ତ୍ତନ, ପଞ୍ଚମ ଅବକାଶ- ପୃ-୮୦)
ଅତି ବାଲ୍ୟାବସ୍ଥାରୁ ନରସିଂହ ମାଠଙ୍କର ପିତୃବିୟୋଗ ଘଟିଥିବା ଯୋଗୁଁ ତାଙ୍କୁ ଦୁଃଖ କଷ୍ଟର ଅଗ୍ନିଦାହ ମଧ୍ୟରେ ଗତିକରିବାକୁ ପଡିଥିଲା। ତାଙ୍କୁ ୭/୮ ବର୍ଷ ବୟସ ହେଲା ପରେ ସେ ଶିକ୍ଷାଲାଭ ପାଇଁ ଗ୍ରାମ ଚାଟଶାଳୀରେ ପ୍ରବେଶ ହେଲେ। ପ୍ରାଥମିକ ଶିକ୍ଷା ଶେଷ କରି ସେକାଳର ଶିକ୍ଷା ପଦ୍ଧତି ଅନୁଯାୟୀ ନିଜର ଶ୍ରଦ୍ଧା ଓ ବ୍ୟକ୍ତିଗତ ଉଦ୍ୟମରେ ପ୍ରାଚୀନ ଓଡିଆ କାବ୍ୟ କବିତା ପୁରାଣାଦି ଅଧ୍ୟୟନ ତଥା ମୁଖସ୍ଥିକରଣ କରି ପାରିଥିଲେ। ସେ ଓଡଗାଁର ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ଶ୍ରୀ ରଘୁନାଥ ମହାପ୍ରଭୁଙ୍କ କୃପାରୁ କବି ପ୍ରତିଭାର ଅଧିକାରୀ ହୋଇଥିଲେ ମଧ୍ୟ ନିଜକୁ ଆଜନ୍ମ ମୂର୍ଖ ଭାବେ ସ୍ଵୀୟ ଗ୍ରନ୍ଥ 'ରଘୁନାଥ କୀର୍ତ୍ତନ'ରେ ଉଲ୍ଲେଖ କରିଛନ୍ତି।
"ନ ଜାଣେ ବେଦ ବିଦ୍ୟା ଗୋଷ୍ଠିକି ନାହିଁ ଶକ୍ୟ, କରିବା ଅନୁଗ୍ରହ ଅବିଘ୍ନ ବିନାୟକ ।
ଆଜନ୍ମ ମୂର୍ଖମନେ ହୁଅଇ ମାତ୍ର ଘୋଷି, କହିବା ପଦ ହୃଦ କମଳେ ମୋର ବସି ।"
(ରଘୁନାଥ କୀର୍ତ୍ତନ, ପ୍ରଥମ ଅବକାଶ ପ୍ରସଙ୍ଗ- ଗଣେଶ୍ଵର ବନ୍ଦନା -ପୃ-୨)
ଉତ୍କଳ ହେଉଛି ଦେବଭୂମି। ଏଠାରେ ଯେ କୌଣସି କାର୍ଯ୍ୟ ପଛରେ ଦେବ ଦେବୀଙ୍କ ଅନୁକମ୍ପା ନିହାତି ଥିବାର ବିଶ୍ଵାସ କରାଯାଏ। ବହୁ ପୁରାତନକାଳରୁ କବିତ୍ଵ ପଛରେ ଆଧ୍ୟାତ୍ମିକଭିତ୍ତି ଥିବାର ମଧ୍ୟ ଲକ୍ଷ୍ୟ କରାଯାଏ। କବି ନରସିଂହ ମାଠଙ୍କ ସମ୍ବନ୍ଧରେ ମଧ୍ୟ କେତେକ ଜନଶ୍ରୁତି ରହିଛି। କବିଙ୍କର ପେଟ ବେମାର ଥିବା ଯୋଗୁଁ ସେଥିରୁ ଆରୋଗ୍ୟ ଲାଭ ନିମିତ୍ତ ସେ ଯଥାକ୍ରମେ ୧. ଗୁପ୍ତେଶ୍ଵର, ୨. ତୁମ୍ବେଶ୍ଵର, ଓ ୩. ଓଡଗାଁରେ ବିଜେ ହୋଇଥିବା ଶ୍ରୀ ଶ୍ରୀ ଶ୍ରୀ ରଘୁନାଥଙ୍କ ଠାରେ କିଛି ଦିନ ଅଧିଆ ପଡି କୃତ କାର୍ଯ୍ୟ ହୋଇଥିଲେ। ପ୍ରଭୁଙ୍କ କରୁଣାରୁ ତାଙ୍କ କବି ପ୍ରତିଭା ଉଦିତ ହୋଇଥିଲା। ଯେତେବେଳେ କବି ରସରାଜ ଶ୍ରୀକୃଷ୍ଣ ଓ ପରମ ପ୍ରେମମୟୀ ଗୋପାଙ୍ଗନା ମାନଙ୍କ ପ୍ରୀତି ସମ୍ବଳିତ 'ଗୋପଲୀଳା' ରଚନା କରିବା ନିମିତ୍ତମନ ନିବେଶ କରିଥିଲେ, ସେତେବେଳେ "ଶ୍ରୀ ଜଗନ୍ନାଥ ମହାପ୍ରଭୁ" କବିଙ୍କୁ ସ୍ଵପ୍ନରେ ଦର୍ଶନ ଦେଇ "ରଘୁନାଥ କୀର୍ତ୍ତନ" ଗ୍ରନ୍ଥ ରଚନା କରିବା ପାଇଁ ଆଦେଶ ଦେଇଥିବା ବିଷୟ "ରଘୁନାଥ କୀର୍ତ୍ତନ"ରେ ବର୍ଣିତ ଅଛି।
"ମଜାଇ ଥିଲି ମନେ ଗୋକୁଳ କେଳି ତୋର, ଏ ଅନୁଗ୍ରହ କଲୁ କି ସେବା ଦେଖି ମୋର ।
ନଥିଲା ମନେ ଜ୍ଞାନ ନିଦ୍ରାର ବୋଧେ ଆସି, କହି ଗଲୁ ଦେଖାଇ ଲାବଣ୍ୟ ରୂପ ରାଶି ।"
(ରଘୁନାଥ କୀର୍ତ୍ତନ, ଚତୁର୍ଥ ଅବକାଶ, ଉତ୍ତରାର୍ଦ୍ଧ - ପୃ - ୨୪)
ଏ ଚେତନା ହେଉଛି ସୃଷ୍ଟିର ଚେତନା, ଏକାମନା ହେଉଛି ତାଙ୍କ ଅନ୍ତରର ଆହ୍ଵାନ। ଏହାହିଁ ହେଉଛି କବି କଳ୍ପିତ ଶୂନ୍ୟ ବାଣୀ । ପ୍ରଭୁଙ୍କ ସାନିଧ୍ୟ ଲାଭ କରି କବିଙ୍କ ହୃଦୟ ରାମ ରସାମୃତରେ ଆପ୍ଳୁତ ହୋଇଯାଇଛି। ତେଣୁ ସେ ଏହି ଗ୍ରନ୍ଥର ପୂର୍ଣ୍ଣତା ହାସଲ ପାଇଁ କରୁଣା ପ୍ରାର୍ଥୀ ହୋଇଛନ୍ତି। କବିଙ୍କ ଭାଷାରେ :-
"ଉଣା ହେଲେ କରୁଣା ଅପ୍ରାଧୀ ହେବି ସିନା, ବୁଡାଇ ଦେବୁ କି ତୋ ପାବନ ନାମେ ବାନା ।"
(ରଗୁନାଥ କୀର୍ତ୍ତନ - ଚତୁର୍ଥ ଅବକାଶ - ଉତ୍ତରାର୍ଦ୍ଧ - ପୃ - ୨୪)
କବି ନରସିଂହ ମାଠଙ୍କର "ରଘୁନାଥ କୀର୍ତ୍ତନ"ହିଁ ତାଙ୍କ କବିତ୍ଵ ଓ ପ୍ରତିଭାର ସର୍ବଶ୍ରେଷ୍ଠ ସାରସ୍ଵତ କୀର୍ତ୍ତୀ। ଏତଦ୍ ବ୍ୟତୀତ 'ନୀଳଗିରି ବନ୍ଦନା', 'ବିପଦାର୍ଣ୍ଣବ ଚଉତିଶା', 'ରଘୁନାଥ ସନ୍ତାପ', 'ଗୋପଲୀଳା', 'ନଦୀଆ କୀର୍ତ୍ତନ' ପ୍ରଭୃତି ଭଜନ, ପ୍ରାଚୀନ ନାଟକ, ସଂକୀର୍ତ୍ତନ, ସଙ୍ଗୀତ, ଚୌପଦୀମାନ ରଚନା କରିଥିଲେ। ତନ୍ମଧ୍ୟରୁ ସମ୍ପ୍ରତି ଅନେକ ଲୁପ୍ତ ପ୍ରାୟ।
କବି ନରସିଂହ ମାଠଙ୍କ ଅମ୍ଳାନ କୃତି "ରଘୁନାଥ କୀର୍ତ୍ତନ" ଗ୍ରନ୍ଥଟି ଚତୁର୍ଦ୍ଦଶାକ୍ଷରୀ ଛନ୍ଦରେ ରଚିତ। ଏହା ଉତ୍କଳର ପୁର ପଲ୍ଲୀରେ ପୁରାଣ ଭାବେ ପଠନ କରାଯାଏ। ମହାକବି ବାଲ୍ମୀକିଙ୍କ ରାମାୟଣ ଛାଞ୍ଚରେ କବିଙ୍କ 'ରଘୁନାଥ କୀର୍ତ୍ତନ' ରଚିତ ହୋଇଥିଲେ ସୁଦ୍ଧା ଉତ୍କଳୀୟ ରାମାୟଣ ଠାରୁ ଏହା ସ୍ଵତନ୍ତ୍ର ଓ ସାମାନ୍ୟ ପାର୍ଥକ୍ୟ ଥିବା ଭଳି ମନେ ହୁଏ। କବି ଏହାର ନାମ କରଣ 'ରାମାୟଣ' ପରିବର୍ତ୍ତେ 'ରଘୁନାଥ କୀର୍ତ୍ତନ' କରିଛନ୍ତି। ଏହି ଗ୍ରନ୍ଥଟି ଚିରାଚରିତ ସପ୍ତ କାଣ୍ଡ ସ୍ଥଳେ ପାଞ୍ଚୋଟି "ଅବକାଶ" (୩)( ପୂର୍ବାର୍ଦ୍ଧ ଉତ୍ତରାର୍ଦ୍ଧ ଥାଇ) ସପ୍ତ ଖଣ୍ଡରେ ସମ୍ପୁର୍ଣ୍ଣ ହୋଇଛି। ପ୍ରଭୁଙ୍କ ୩୨ ବେଶ ମଧ୍ୟରୁ ଅବକାଶ ବେଶକୁ ଲକ୍ଷ୍ୟ ରଖି ଗ୍ରନ୍ଥଟିକୁ କବି କାଣ୍ଡ ପରିବର୍ତ୍ତେ ଅବକାଶ ରଖିଛନ୍ତି।

ବିଚିତ୍ର କର୍ମା ରଘୁନାଥଙ୍କ ସମସ୍ତ କର୍ମ ବିଚିତ୍ର, ଚରିତ୍ର ବିଚିତ୍ର - ଏହା ଭାରତୀୟ ସଂସ୍କୃତିର ଦର୍ଶନର ମୂଳ କଥା। ଏକଥା ଯୁଗ ଯୁଗ ଧରି ଶୁଣି ଶୁଣାଇ ମନରେ ବିରକ୍ତି ଆସେ ନାହିଁ। ଭାରତୀୟ ଆଧ୍ୟାତ୍ମିକ ଚେତନାରେ ଶ୍ରୀରାମ ଏକ ବହୁ ଚର୍ଚ୍ଚିତ ଓ ବହୁ ଉପାସିତ ଚରିତ୍ର। ମର୍ଯ୍ୟାଦା ସମ୍ପନ୍ନତା ହେତୁ ସେ 'ମର୍ଯ୍ୟାଦା ପୁରୁଷୋତ୍ତମ' ନାମରେ ପରିଚିତ। ଯୋଗୀ ବା ସାଧକ ଶୁଦ୍ଧ ପୂତ ଭାବରେ ଯେଉଁଥିରେ ରମଣ କରେ ସେ 'ରାମ' ନାମରେ ପରିଚିତ। ଏହି ପରମ ପୁରୁଷ ଶ୍ରୀରାମ ସତ୍, ଆନନ୍ଦ ତଥା ଚିତ୍ ଶକ୍ତି ସ୍ଵରୂପ ରାମଙ୍କ ଚରିତ୍ର ଭିତରେ ପିତୃଭକ୍ତି, ଅକପଟ ଭାତୃପ୍ରୀତି, ସଂଯତ ଦାମ୍ପତ୍ୟ ଜୀବନ, ଏକ ପତ୍ନୀବ୍ରତ ତଥା ଜଣେ ଆଦର୍ଶ ଯୋଦ୍ଧାର ସମସ୍ତ ଗୁଣକୁ କବି ନରସିଂହ ମାଠ ପ୍ରତିଷ୍ଠା କରି ତାଙ୍କୁ ଏକ ମର୍ଯ୍ୟାଦାବନ୍ତ "ମର୍ଯ୍ୟାଦା ପୁରୁଷୋତ୍ତମ"ର ସ୍ଥାନ ପ୍ରଦାନ କରିଛନ୍ତି, ଏବଂ ସେ ପଞ୍ଚମ ଅବକାଶ (ପୂର୍ବାର୍ଦ୍ଧ, ଉତ୍ତରାର୍ଦ୍ଧ ଥାଇ) ସପ୍ତ ଖଣ୍ଡ ବିଶିଷ୍ଟ "ରଘୁନାଥ କୀର୍ତ୍ତନ" ରଚନା କରି ଓଡିଆ ସାହିତ୍ୟରେ ରାମ ଭକ୍ତି ପରମ୍ପରାକୁ ସୁଦୃଢ କରି ଯାଇଛନ୍ତି। ଏହି ଗ୍ରନ୍ଥଟିର ମୁଖ୍ୟ ପ୍ରତିପାଦ୍ୟ ବିଷୟ ହେଉଛି - "ସୀତା ଏବଂ ଶ୍ରୀରାମ ଚରିତ"ର ଉପସ୍ଥାପନା।
ଭଗବାନଙ୍କ ମୁଖ ନିସୃତ ବାଣୀ "ଶ୍ରୀମଦ୍ ଭାଗବତ" ଗ୍ରନ୍ଥରେ ନବଧା ଭକ୍ତିର ଭେଦ ସମ୍ପର୍କରେ କୁହାଯାଇଛି ।
"ଶ୍ରବଣ କୀର୍ତ୍ତନଂ ବିଷ୍ଣୋ ସ୍ମରଣଂ ପାଦ ସେବନ; ଅର୍ଚ୍ଚନଂ ବନ୍ଦନଂ ଦାସ୍ୟ ସଖ୍ୟମାସ ନିବେଦନମ୍"।(ସପ୍ତମ ସ୍କନ୍ଧ)
ଏଥି ମଧ୍ୟରୁ କୀର୍ତ୍ତନର ମହତ୍ତ୍ଵକମ୍ ନୁହେଁ। ଭକ୍ତ ପ୍ରଭୁଙ୍କର ନାମକୁ ଉଚସ୍ଵରରେ ବାରମ୍ବାର ଉଚ୍ଚାରଣ କରିବା ପ୍ରକ୍ରିୟା "କୀର୍ତ୍ତନ" ଭାବେ ଖ୍ୟାତ। ଏଠାରେ ନାମ ଘୋଷିବା ହେଉଛି କୀର୍ତ୍ତନ କରିବା। ଏଣୁ କବି ରଘୁନାଥ ସହିତ କୀର୍ତ୍ତନ ଶବ୍ଦଟି ଯୋଡି ଗ୍ରନ୍ଥର ନାମ କରଣ କରିଛନ୍ତି 'ରଘୁନାଥ କୀର୍ତ୍ତନ'। ପୁନଶ୍ଚ କବି ରଘୁନାଥ କୀର୍ତ୍ତନର ବିଭିନ୍ନ ପ୍ରସଙ୍ଗରେ କହିଛନ୍ତି ଯେ ରାମ ନାମ ଉଚାରଣ ଓ ଶ୍ରବଣ ଅତ୍ୟନ୍ତ ଶ୍ରୁତି ମଧୁର ଓ 'ରାମ ନାମ' ଅନବରତ ଉଚ୍ଚାରଣ କଲେ ସକଳ ଦୁଃଖ, କଷ୍ଟ ନିବାରିତ ହୁଏ। ପ୍ରଭୁ 'ରଘୁନାଥ'ଙ୍କ ନାମ, ରୂପ, ଗୁଣ, ଚରିତ୍ର ଓ ରହସ୍ୟକୁ ଶ୍ରଦ୍ଧା ଓ ପ୍ରେମର ସହ ଉଚାରଣ କଲେ ଶରୀରରେ ରୋମାଞ୍ଚ ସୃଷ୍ଟି ହୁଏ।
'ଭାବ' ଶବ୍ଦର ଅଭିପ୍ରାୟ ହେଲା ଭକ୍ତି। ଈଶ୍ଵର, ରାମ, କୃଷ୍ଣ ଭାବ ସାଧ୍ୟ ଭାବଗ୍ରାହୀ। ସେ ଭକ୍ତିରେ ହିଁ ପ୍ରାପ୍ତ ହୋଇଥାନ୍ତି। ଭକ୍ତି ଶୂନ୍ୟ ବା ଭକ୍ତି ରହିତ ହୋଇ କେହି କେବେ ହେଲେ ସେହି ମର୍ଯ୍ୟାଦାବନ୍ତ ପୁରୁଷୋତ୍ତମ ପରମାନନ୍ଦଙ୍କୁ ପ୍ରାପ୍ତ ହେବା ସମ୍ଭବ ନୁହେଁ। ପରମ ତତ୍ତ୍ଵ ପରମେଶ୍ଵର ରସସ୍ଵରୂପ, ଆନନ୍ଦ ଚିନ୍ମୟ, ଲୀଳାମୟ, ମାଧୁର୍ଯ୍ୟର ରସଘନ ବିଗ୍ରହ। ସେହି ଆନନ୍ଦ ସ୍ଵରୂପ ରାମଙ୍କ ସେବା ବାସନାକୁ ଚରିତାର୍ଥ କରିବାର ଉପାୟ ଭକ୍ତି। ଭକ୍ତି ଦ୍ଵାରା ହିଁ ଭଗବାନ ପ୍ରାପ୍ତି ହୋଇଥାନ୍ତି। ସେଥିପାଇଁ କବି ଜଗତ ଜନଙ୍କ ମଙ୍ଗଳ କାମନା ନିମିତ୍ତ ମହାପ୍ରଭୁଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ଭକ୍ତି ରସରେ ଆତ୍ମହରା ହୋଇ ଗାଇଛନ୍ତି :-
"ଦୁଃଖୀ ଦୁଃଖ ଦହନ ଯେ ରାମ ନାମ ଗୋଟି, ଶୁଣିଲେ ହୃଦୁଯାଏ ଦରିଦ୍ର ବାଧା ତୁଟି।
ଜଳ ସ୍ଥଳ ଅନଳ ଅମୟ ଆପଦରେ, ଭାବେ ଅଭାବେ ଯେବା ଶ୍ରୀରାମ ନାମ ସ୍ମରେ।
ଶରଣ ପଞ୍ଜରସେ ସଙ୍କଟୁ ପାରି କରି, ପ୍ରାଣୀକି ଉଦ୍ଧାରନ୍ତି କୋଦଣ୍ଡ କାଣ୍ଡ ଧାରୀ।
ଏହା ମୁଁ ଅନୁଭବ ଏ ଦେହେ ଅଛି କରି, ଦେଇଛନ୍ତି କେତେ ଯେ ସଙ୍କଟୁ ମୋତେ ତାରି।
ତେଣୁ କଲି ପ୍ରକାଶ ଜଗତ ଜନ ହିତେ, ଭାବ କିବା ନଭାବ ଭାବିଯେ ଯାହା ଚିତ୍ତେ।"
(ରଘୁନାଥ କୀର୍ତ୍ତନ, ପଞ୍ଚମ ଅବକାଶ - ପ୍ରସଙ୍ଗ - ପୁଷ୍ପାଞ୍ଜଳି)
"ରଘୁନାଥ କୀର୍ତ୍ତନ" ଏକ ଭକ୍ତି ରସାତ୍ମକ ଗ୍ରନ୍ଥ ହୋଇଥିବାରୁ ଏଥିରେ ଭକ୍ତି ଭାବ ଓ ଦାସ୍ୟ ଭାବର ପ୍ରକଟନ ହୋଇଛି। ସତୀ ସାଧ୍ଵୀ ସୀତାଙ୍କୁ ଅଶୋକ କାନନରେ ଭେଟିବା ପୂର୍ବରୁ ସୀତା ଅନୁସନ୍ଧିତ୍ସୁ ହନୁମାନଙ୍କ ହୃଦୟରେ ଯେଉଁ ଦାସ୍ୟ ଭାବର ରସ ମାଧୁର୍ଯ୍ୟ ଉଦ୍-ବେଳିତ ହୋଇଛି ତାହା କବି ବର୍ଣ୍ଣନାରେ ଜୀବନ୍ତ ହୋଇପାରିଛି।
"ଜଗତ ଜନନୀଙ୍କୁ ଦେଖିବି ବେନିଡୋଳେ । ଜଣାଇବି ଯାବତ ବେଦନା ସେତେବେଳେ ॥
ଯୋଡି କର କପୋଳେ ପୟରେ ପଡି ଉଠି । ଉଭା ହୋଇ ଲେଊଟି ପଡିବି ଯେବେ ଲୋଟି ॥
ଉଠ ବୋଲି ଶ୍ରୀମୁଖେ ବୋଲିବେ ଯେବେ ମୋତେ । କେଉଁ ଦିନେ କି ପୁଣ୍ୟ ଥିଲେଇଁ କରି କେତେ॥
***********************************************************
ଶ୍ରୀରାମ ରାବଣର ଗହନ ରଣ କେଳି । ନରସିଂହ ଦାସ ମୁଁ ପ୍ରକାଶ କଲି ଭାଳି ॥"
(ରଘୁନାଥ କୀର୍ତ୍ତନ, ଚତୁର୍ଥ ଅବକାଶ, ପୂର୍ବାର୍ଦ୍ଧ - ପୃ - ୧୯୨)
କବି ନରସିଂହ ମାଠ "ରଘୁନାଥ କୀର୍ତ୍ତନ"ର ବିଭିନ୍ନ ଅବକାଶର ସ୍ଥାନେ ସ୍ଥାନେ ସ୍ଵୀୟ "ବରଦାତା" ଆରାଧ୍ୟଦେବଙ୍କ ପରିଚୟ ପ୍ରଦାନ କରିଛନ୍ତି। ଏତଦ୍-ବ୍ୟତୀତ ପ୍ରଭୁଙ୍କ ମହିମା ବର୍ଣ୍ଣନା ଓ ସ୍ତୁତି ଗାନ ମଧ୍ୟ କରିଛନ୍ତି। ସେ ସବୁର ସମ୍ୟକ୍ ଆଲୋଚନା ନରସିଂହ ମାଠଙ୍କ ଜୀବନ ଦର୍ଶନରେ ହିଁ ପ୍ରତିଫଳିତ।
"ବନ୍ଦଇ ରଘୁନାଥ ରାଜୀବ ନେତ୍ରୀ ପତି । ରାଜହଂସ ଗମନା ରମଣ ଦାଶରଥି॥
ରଘୁବଂଶ ରତନ ମୁକୁଟ ଶିଖାମଣି । ସୁନ୍ଦର ତନୁ ଗୋଟି ତମାଳ ପୁଷ୍ପ ଜାଣି ॥
ବିକଚ ପୁଣ୍ଡରୀକ ପରାଏ ବେନି ଆଖି। ଶ୍ରୀମୁଖ ଶୋହେ ଶୋଭା ଅଖଣ୍ଡ ଚନ୍ଦ୍ରମାକି॥"
*****************
**************** **********
"ସେ ପାଦ ପଦ୍ମ ତଳେ ନିବେଶି ମୋର ମାଥ। ଜନ୍ମେ ଜନ୍ମେ ଶରଣ ରଖିବା ରଘୁନାଥ॥"
**************** ************** ******** **********
"ଶ୍ରୀ ରଘୁନାଥଙ୍କର ମାନବ କେଳି ଲୀଳା । ପ୍ରଳୟ ଭବ ସିନ୍ଧୁ ମଧ୍ୟରେ ସୁଖ ଭେଳା॥
କହିବି ବୋଲି କରି ଅଛି ମୋ ପ୍ରତି ଆଶ । ଶ୍ରୀରଘୁନାଥଙ୍କର ପ୍ରଥମ ଅବକାଶ॥"
(ରଘୁନାଥ କୀର୍ତ୍ତନ, ପ୍ରଥମ ଅବକାଶ - ପୃ - ୦୧- ୦୨)
ଉଦ୍ଧୃତାଂଶରୁ କବିଙ୍କ ଭକ୍ତି ହୃଦୟର ଯଥାର୍ଥ ସ୍ଵର ବହନ କରେ ।
"ରଘୁନାଥ କୀର୍ତ୍ତନ"ରେ ରସର ପରିଚର୍ଯ୍ୟା ଅତି ବ୍ୟାପକ। ଏଥିରେ ଶୃଙ୍ଗାର, ହାସ୍ୟ, କରୁଣ, ରୌଦ୍ର, ବୀର, ଭୟାନକ, ବିଭତ୍ସ, ଅଦ୍ଭୁତ, ଶାନ୍ତ ଓ ବାତ୍ସଲ୍ୟ ଏହିପରି ୧୦ଟି ରସର ଅବତାରଣା କରି କବି ତାଙ୍କ ଅସାଧାରଣ ଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏହି ଗ୍ରନ୍ଥରେ କରୁଣ ରସର ସମୀକ୍ଷା ମଧ୍ୟରେ ବୀର ରସର ଅଭ୍ୟୁତ୍ଥାନ ରସଗ୍ରାହୀ ପାଠକ ହୃଦୟରେ ଅମନ୍ଦ ମନ୍ଦାକିନୀର ପବିତ୍ରଧାରା ପ୍ରବାହିତ କରି ଦେଇଛି। ବାଳୀ, ସୁଗ୍ରୀବ ମଧ୍ୟରେ ଚାଲିଥିବା ମଲ୍ଲଯୁଦ୍ଧ ବର୍ଣ୍ଣନାରେ-
"ପାଦକୁ ପାଦ ଛନ୍ଦି ମୁଣ୍ଡକୁ ମୁଣ୍ଡେ ତାଡି। ଛାଡି ଉଠିପଡନ୍ତି ହୋଇଣ ଗଡା ଗଡି॥
କ୍ଷଣକେ ଭିଡା ଭିଡି କ୍ଷଣକେ ଘୁଞ୍ଚା ଘୁଞ୍ଚି। ଧାମନ୍ତି ମତ୍ତଗଜ ପରାୟେ ପଞ୍ଚା ପଞ୍ଚି॥
ରେରେକାର କରିଣ କରନ୍ତି ସିଂହ ରଡି। ପଳାଇଲେ ବାନର ବାନରୀ ପୁର ଛାଡି॥
କେ କାହାକୁ ଧରନ୍ତେ କେ ଯାଏ ଖରେ ଖସି। କ୍ଷଣକେ ଯାନ୍ତି ଯୋଡି ବୃକ୍ଷର ପ୍ରାୟେ ମିଶି॥
ଅଜେୟ ବାଳି ବଳୀ ଜଗତେ ନାହିଁ ସମ। ଶ୍ରୀରାମଙ୍କ ପ୍ରସାଦେ ହୋଇଛି ସୁଗ୍ରୀ କ୍ଷମ॥
ବ୍ରହ୍ମାଣ୍ଡ କମ୍ପୂ ଅଛି ମେଦିନୀ ତଲ୍ଲ ତଲ୍ଲ। ଯେସନେ ସମ ସରି ଯୁଝନ୍ତି ବେନି ମଲ୍ଲ॥"
(ରଘୁନାଥ କୀର୍ତ୍ତନ, ତୃତୀୟ ଅବକାଶ (ଉତ୍ତରାର୍ଦ୍ଧ) ପ୍ରସଙ୍ଗ - ବାଳୀ ବଧ - ପୃ - ୯)
ଅଳଙ୍କାର ପ୍ରୟୋଗରେ କବିଙ୍କ ଦକ୍ଷତା ସ୍ମରଣୀୟ। ଯତି ଯମକ ଘେନି ଗ୍ରନ୍ଥଟି ସରସ ଓ ରୁଚି ପୂର୍ଣ୍ଣ ହୋଇ ପାରିଛି। ବିଦ୍ୟା ଦାୟିନୀ ଦେବୀ ସରସ୍ଵତୀଙ୍କ ଭ୍ରୁଲତା ମଧ୍ୟସ୍ଥିତ କପୋଳରେ ଶୋଭା ପାଉଥିବା ସୁନ୍ଦର ବିନ୍ଦୁକୁ କବି ଅତି ସୁନ୍ଦର ଭାବରେ ବର୍ଣ୍ଣନା କରିଛନ୍ତି।
୧. "ସୁରଙ୍ଗ ଗୁଣ୍ଡି ବିନ୍ଦୁ ଶୋଭିତ ଭାଲ ପଟେ, ତରୁଣ ଅରୁଣକି ଉଦୟାଚଳ କୂଟେ।"
(ରଘୁନାଥ କୀର୍ତ୍ତନ, ପ୍ରଥମ ଅବକାଶ, ପ୍ରସଙ୍ଗ - ସରସ୍ଵତୀ ବନ୍ଦନା - ପୃ - ୦୧)
ମିଥିଳା ନଗ୍ର ନାରୀମାନଙ୍କ ମୁଖରେ ଶ୍ରୀରାମ ଓ ସୀତାଙ୍କ ତୁଳନାତ୍ମକ ରୂପ ବର୍ଣ୍ଣନା ବେଶ ହୃଦୟସ୍ପର୍ଶୀ ହୋଇ ପାରିଛି। ତାହା କବି ସ୍ଵୀୟ ଗ୍ରନ୍ଥ 'ରଘୁନାଥ କୀର୍ତ୍ତନ'ରେ ନିମ୍ନମତେ ପ୍ରକାଶ କରିଛନ୍ତି।
୨. "ତୁଲ୍ୟ କୁ ତୁଲ୍ୟ ଉଣା ଅଧିକ ନୋହେ କିଛି। ଜାନକୀ ମଧୁ ଫେଣା ଶ୍ରୀରାମ ମଧୁ ମାଛି॥"
(ରଘୁନାଥ କୀର୍ତ୍ତନ, ପ୍ରଥମ ଅବକାଶ, ପ୍ରସଙ୍ଗ - ମିଥିଳା ନାରୀଗଣଙ୍କ ରାମ ରୂପ ବର୍ଣ୍ଣନା - ପୃ - ୧୩୬)
କବି ନରସିଂହ ମାଠ ଆଧୁନିକ ଯୁଗର କବିବର ରାଧାନାଥ ରାୟଙ୍କର ସମସାମୟିକ ଅଟନ୍ତି। ତେଣୁ ରାଧାନାଥ ଯୁଗର ପୂର୍ବବର୍ତ୍ତୀ ରୀତିଯୁଗର କବି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ଓ ସଙ୍ଗୀତ ଯୁଗର କବି କବି ସୂର୍ଯ୍ୟ ବଳଦେବ ରଥଙ୍କ କାବ୍ୟ-କବିତାଦିର ପ୍ରଭାବରେ ପ୍ରଭାବିତ ହୋଇଥିବା ଭୁରି ଭୁରି ଦୃଷ୍ଟାନ୍ତ ଏହି ଗ୍ରନ୍ଥରେ ରହି ଅଛି।
ହନୁମାନ ଶୂନ୍ୟରୁ ଅଶୋକ ବନକୁ ଓହ୍ଲାଇବା ଦୃଶ୍ୟର ବର୍ଣ୍ଣନା କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ 'ଲାବଣ୍ୟବତୀ' କାବ୍ୟର ଅନୁରୂପ ହୋଇ ପଡିଛି।
ଲାବଣ୍ୟବତୀ: "ଦେଖରେ ନଳିନୀ ନଳିନୀ ନଳିନୀରେ ପୂରିତ
ଭ୍ରମନ୍ତି ଭ୍ରମରେ ଭ୍ରମରେ ଭ୍ରମରେ ଏ ଶୋଭିତ।"
ରଘୁନାଥ କୀର୍ତ୍ତନ: "ଘଡିକି ଅର୍ଦ୍ଧ ଅର୍ଦ୍ଧ ଅର୍ଦ୍ଧର ଅର୍ଦ୍ଧକରେ
ଓହ୍ଲାଇଲେ ଗଗନୁ ଗୁପତେ ଧୀରେ ଧୀରେ।"
(ରଘୁନାଥ କୀର୍ତ୍ତନ, ତୃତୀୟ ଅବକାଶ, ଉତ୍ତରାର୍ଦ୍ଧ- ପୃ - ୬୨)
ମଧୁବନର ଶୋଭା ଓ ରାବଣର ଅତୁଳନୀୟ ବିଭବ ବର୍ଣ୍ଣନା କବି ହନୁମାନଙ୍କ ମୁଖରେ ଯେପରି ବର୍ଣ୍ଣନା କରିଛନ୍ତି ତାହା କବିସୂର୍ଯ୍ୟ ବଳଦେବ ରଥଙ୍କ "କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ"ର 'ଖ' ଗୀତର ଅନୁରୂପ ହୋଇ ପାରିଛି।
"କିଶୋର ଚନ୍ଦ୍ରାନନ୍ଦ ଚମ୍ପୂ": "
ଖାରା ଖଣ୍ଡାଧାର ଖଟ ବିଚାରି ଶୋଇଲୁରେ॥୩॥
ଖଳିକାର ନୋହି କଳା-ନାଗକୁ ଚାଳିଲୁରେ।"॥୧॥
ରଘୁନାଥ କୀର୍ତ୍ତନ : "କାଳ ବ୍ୟାଳ ଚାଳିଲୁ ନୋହୁତ ଖଳିକାର
ଖଡଗ କ୍ଷୁରଧାରେ ପହୁଡ ସୁଖ ତୋର।"
(ରଘୁନାଥ କୀର୍ତ୍ତନ, ଦ୍ଵିତୀୟ ଅବକାଶ, ଉତ୍ତରାର୍ଦ୍ଧ- ପୃ - ୬୪)
କବି ରାମ ଭକ୍ତିର ଅନ୍ତରାଳରେ ଓଡିଆ ପରମ୍ପରାର ଉପାସ୍ୟ ଦେବତା ଶ୍ରୀ ଜଗନ୍ନାଥଙ୍କ ପ୍ରତି ଅନୁରକ୍ତି ଓ ଅନୁରାଗର ଯେଉଁ ନୈବେଦ୍ୟ ବାଢିଛନ୍ତି ତାହା ଅନୁପମ। ଜଗନ୍ନାଥ ପରମ୍ପରାରେ ଉଦ୍-ବୁଦ୍ଧ କବି ମାଠ ଜଗନ୍ନାଥ ଓ ଶ୍ରୀରାମଙ୍କୁ ଏକ ଓ ଅଭିନ୍ନ ରୂପେ କଳ୍ପନା କରି ଉତ୍କଳୀୟ ରାମ ସାହିତ୍ୟ ପରମ୍ପରାରେ ଜଗନ୍ନାଥ ଚେତନାର ଅମନ୍ଦ ମନ୍ଦାକିନୀର ପବିତ୍ର ଧାରା ବୁହାଇ ପାରିଛନ୍ତି ତାହା ନିମ୍ନୋକ୍ତ ପଂକ୍ତିରୁ ସ୍ପଷ୍ଟ ଅବଧାରିତ ହୁଏ।
ରଚନା ପରିପାଟୀ:
"ବନ୍ଦଇ ଜଗନ୍ନାଥ କମଳା ଦେବୀ ପତି। ଶ୍ଵେତ ପଦ୍ମ-ଲୋଚନ ତ୍ରିପଣ୍ଡ କଳା ମୂର୍ତ୍ତି॥
ଗରୁଡ ସ୍ତମ୍ଭ ପଛେ ନିରେକ୍ଷି ଚାହୁଁ ଚାହୁଁ। କପୋଳେ ବ୍ରହ୍ମ ଜାତି ଦିଶିଲା ଦାଉ ଦାଉ॥
ପାଦଯାଏ ଲମ୍ବିତ କମଳ ଦଳ ମାଳ। ଶିରରେ ଶୋହେ ଶ୍ଵେତ ସେବତୀ ପୁଷ୍ପ ଚୂଳ॥
ଶରଣ ମେରୁ ପ୍ରାୟେ ପ୍ରଳମ୍ବ ଭୂଜ ରାଶି। ରଙ୍ଗିମା ଅଧରୁକି ପଡୁଛି ସୁଧା ଖସି॥
ବିସ୍ତାର ଗଣ୍ଡସ୍ଥଳ ସୁନ୍ଦର କଟୀକ୍ଷୀଣ। କାଛେଣୀ ପୀତବାସ ମୋହଇ ଜନମନ॥"
*****************************************************
"ଭାଇ ଭଗ୍ନୀ ସଙ୍ଗତେ ଘେନିଣ କରୁ ଲୀଳା। ଝଟ ଝଟ ଶ୍ରୀମୁଖ ଦିଶଇ ଚକାଡୋଳା॥
ନୟନେ ଦେଖିଅଛି ମନରୁ ଯାଉ ନାହିଁ। ପୁଣି ହିଁ କେଉଁ ଜନ୍ମେ ଦେଖିବି ଅବା କହିଁ॥
କରିବି ପ୍ରଦକ୍ଷିଣ ହରିବି ପାପ ରାଶି। ସାରିବି ଶ୍ରୀନିର୍ମାଲ୍ୟ କୈବଲ୍ୟ ହାଟେ ବସି॥"
(ରଘୁନାଥ କୀର୍ତ୍ତନ, ପ୍ରଥମ ଅବକାଶର ପୂର୍ବାଭାଷ, ପ୍ରସଙ୍ଗ- ମହନୀୟ ଦାନ)
ମନୁଷ୍ୟର ସୃଷ୍ଟି ଓ ସଭ୍ୟତାର ବିକାଶ ସହିତ ଧର୍ମ-ଭାବନା ଅଙ୍ଗାଙ୍ଗୀ ଭାବେ ଜଡିତ। କବିଙ୍କ 'ରଘୁନାଥ କୀର୍ତ୍ତନ'ରୁ ଧର୍ମ ସମ୍ପର୍କୀୟ ଅନେକ ସୂଚନା ମିଳିଥାଏ। ଏଥିରେ ବିଶେଷତଃ ସର୍ବଧର୍ମ ସମନ୍ଵୟରେ ଜଗନ୍ନାଥ ଧର୍ମର ମହତ୍ତ୍ଵ ପ୍ରତିପାଦିତ ହୋଇଛି।
ଯାତ୍ରା କାଳରେ ଶୁଭା ଶୁଭ ଗଣନା କରିବା ଓଡିଆ ସାମାଜିକ ଚଳଣିରେ ଏକ ପାରମ୍ପରିକ ରୀତି। ଶକୁନ ଶାସ୍ତ୍ର ମଧ୍ୟ ଭାରତୀୟ ପରମ୍ପରାର ସମ୍ମତ। ଶୁଭ ଶକୁନ କାର୍ଯ୍ୟରେ ସିଦ୍ଧିଲାଭ ଏବଂ ଅଶୁଭ ଶକୁନ ଦର୍ଶନ କାର୍ଯ୍ୟରେ ବିଫଳ ହେବାର ସୂଚନା ଦିଏ। 'ରଘୁନାଥ କୀର୍ତ୍ତନ'ରେ ଅନେକ ସ୍ଥଳରେ ଶକୁନ ଶାସ୍ତ୍ର ସମ୍ବନ୍ଧୀୟ ବର୍ଣ୍ଣନା ଅଛି। କବି ସୀତାଙ୍କ ମିଥିଳା ଯାତ୍ରା ସମୟରେ ଶୁଭା ଶୁଭ ନିର୍ଣ୍ଣୟ ନିମ୍ନମତେ ପ୍ରକାଶ କରିଛନ୍ତି।
"ବେଦ ଧର୍ମେ ବିଧାତା ବଚନେ ଯାହା ଲିହି । ବିଦେହ ମଣ୍ଡଳକୁ ବିଜୟ ବେଳା ଏହି॥
ବୁଧ ସୋମ ଅସୁର ଆଚାର୍ଯ୍ୟ ସୁରଗୁରୁ। ଏ ଚାରିବାର ବେଳା ସଂସିଦ୍ଧ ପ୍ରଭାତରୁ॥
ବେନିବାରେ ମାହେନ୍ଦ୍ର ବାରୁଣୀ ବେନିବାରେ। ଯେ ଦିଗ ଅନୁକୂଳ କର ଯେ ପ୍ରଭାତରେ॥
ନ ପାଇ ଅପଯଶ ଶଙ୍କର ଉମା ମତେ। ପ୍ରକାଶିଛନ୍ତି ମୁଖେ ସଂସାର ଜନ ହିତେ॥
କାର୍ତ୍ତିକ ଶୁକ୍ଳ ପକ୍ଷ ଦଶମୀ ଗୁରୁ ବାର। ହୋଇଛି ପୂର୍ଣ୍ଣ ତିଥି ନାହିଁନା କ୍ଷୟ ତାର॥
ନାହିଁ ବିଷ୍ଟି ବିତ୍ପାତ ଯୋଗର ନାମ ସିଦ୍ଧି। ସମ୍ପୂର୍ଣ୍ଣପରେ ଅଛି ସପତ ଦଣ୍ଡ ବୃଦ୍ଧି॥
ସେଦିନ ପ୍ରାତଃ କାଳୁ କରନ୍ତୁ ଅନୁକୂଳ। ଶୁଣି ହେଉ ବୋଲିଣ କୌଶଲ୍ୟାଙ୍କର ବାଳ॥"
(ରଘୁନାଥ କୀର୍ତ୍ତନ, ପଞ୍ଚମ ଅବକାଶ, ପ୍ରସଙ୍ଗ- ସୀତା ବନବାସ, ପୃ-୩୭)
ବାଲ୍ମିକୀ ଆଶ୍ରମରେ ଲବକୁଶଙ୍କ ଜନ୍ମ ସମୟରେ ଅଯୋଧ୍ୟା ସିଂହାସନରେ ଆସିନ ଶ୍ରୀରାମଚନ୍ଦ୍ରଙ୍କର ତିନି ଘଡି ଯାଏ ଦକ୍ଷିଣନୟନର ଉର୍ଦ୍ଧ୍ଵଭାଗ ଓ ଦକ୍ଷିଣ ଭୁଜର ଶିଖର ପ୍ରଦେଶ ବିଦ୍ୟୁତ୍ ପ୍ରାୟେ ସ୍ଫୁରିତ ହେବା ଯୋଗୁଁ ସେ କୁଳଗୁରୁ ବଶିଷ୍ଠଙ୍କୁ ଏହାର ଶୁଭାଶୁଭ ନିର୍ଣ୍ଣୟ କରିବାକୁ ଅନୁରୋଧ କରିଥିଲେ। କବି ମାଠ 'ରଘୁନାଥ କୀର୍ତ୍ତନ'ର ପଞ୍ଚମ ଅବକାଶର ୪୩ ଓ ୪୪ ପୃଷ୍ଠାରେ ଉଲ୍ଲେଖ ଥିବା ବାଲ୍ମିକୀ ଆଶ୍ରମରେ ଲବ କୁଶ ଜନ୍ମ ପ୍ରସଙ୍ଗରେ ନିମ୍ନ ପ୍ରକାରେ ଶୁଭା ଶୁଭ ନିର୍ଣ୍ଣୟର ବର୍ଣ୍ଣନା କରିଛନ୍ତି।
"ଦକ୍ଷିଣ ନେତ୍ରତୀର ସ୍ଫୁରିଲେ ସର୍ବ ବଶ। ନିକଟେ ବନ୍ଧୁ ଲାଭ ଯଶଶ୍ରୀ ପଉରୁଷ॥
ଭୁଜ ଶିଖ ସ୍ଫୁରିଲେ ଭୂପତି ଯୋଗପାଇ। ବରାହ ଋଷିଛନ୍ତି ଭବିଷ୍ୟେ ଭାବି ଲିହି॥"
କବି ରଘୁନାଥ କୀର୍ତ୍ତନର ପ୍ରଥମ ଅବକାଶ ୧୬୫ ପୃଷ୍ଠାରେ 'ପର୍ଶୁରାମଙ୍କ ଦର୍ପ ଚୂର୍ଣ୍ଣ' ପ୍ରସଙ୍ଗରେ "ଅଶୁଭ ଶକୁନ"ର ବର୍ଣ୍ଣନା ନିମ୍ନମତେ ପ୍ରକାଶ କରିଛନ୍ତି।
"ଏ ସମୟେ ରେଣୁକା ନନ୍ଦନ ପର୍ଶୁରାମ। ବସିଥିଲେ ତପରେ ଜପରେ କରି ହୋମ॥
ଆଗରେ ଅଶଙ୍କୁନ୍ୟ ଦିଶିଲା ଗୃଧ୍ରମେଳା। ଚଉପାଶେ ରାବନ୍ତି ବାୟସ ଭେଳା ଭେଳା॥
କୁହୁକ ଆଛାଦନ ଉଲ୍ଲୁକ ହାଲ ହୋଳି। ରାବନ୍ତି ପେଚ ସଚ୍ଚା ପରାୟେ କରି କେଳି॥
ଶୃଗାଳ ଜଳ ଜଳ କରିଣ ବେନି ଆଖି। ଚାହୁଁଛନ୍ତି ମୁଖକୁ ଚକିତ ତାହା ଦେଖି॥
ହୃଦୟ ଦମ ଦମ ବୈକୁଲ୍ୟ ପଞ୍ଚମନ। ଅଦ୍ଭୁତେ ବାମ ନେତ୍ର ସ୍ଫୁରିଲା ଘନ ଘନ॥"
ଯାତ୍ରା କାଳରେ ଶୁଭା ଶୁଭ ଗଣନା କରିବା ଏକ ପାରମ୍ପରିକ ରୀତି। କବି 'ରଘୁନାଥ କୀର୍ତ୍ତନ'ରେ ସ୍ଥଳ ବିଶେଷରେ ଏହିଭଳି ଶୁଭା ଶୁଭ ନିର୍ଣ୍ଣୟ କରି ସ୍ଵୀୟ ଶକୁନ ଶାସ୍ତ୍ରଜ୍ଞାନର ପରିଚୟ ପ୍ରଦାନ କରିଛନ୍ତି।
ଜନନୀ ନୌକେଶୀଙ୍କ ଆଦେଶାନୁସାରେ ରାବଣ, କୁମ୍ଭ କର୍ଣ୍ଣ ଓ ବିଭୀଷଣ ବିରଜା ମଣ୍ଡଳର ବେତରଣୀ ନଦୀ ତୀରସ୍ଥ ବ୍ରହ୍ମାଙ୍କ ଶୁଭ ସ୍ତମ୍ଭ ନିକଟରେ ପହଞ୍ଚିଥିଲେ। ସେଠାରେ ଅହର୍ନିଶି ଅଖଣ୍ଡ 'ଗାୟତ୍ରୀ ମନ୍ତ୍ର' ଜପ କରି ଘୋର ତପସ୍ୟା କରିଥିଲେ। ଏହି ବିଷୟ ବର୍ଣ୍ଣନାରେ କବି ସ୍ଵୀୟ ଗ୍ରନ୍ଥରେ 'ଶରୀର ତତ୍ତ୍ଵ'ର ତାତ୍ତ୍ଵିକ ବିଶ୍ଳେଷଣ ନିମ୍ନମତେ ଉଲ୍ଲେଖ କରିଛନ୍ତି।
"ମନଜ୍ଞାନ ରୁହାଇ କମଳ ଦଳ ପାଖେ। ଜୀବ ଆତ୍ମା ଥୋଇଣ ଜଠରା ନଳ ଶିଖେ॥
ଓଁକାର ପବନକୁ ରୁହାଇ ଚକ୍ରତଳେ। ଉଜାଣି ବନ୍ଦୀକରି ହୃଦୟ ଘାଟ ମୂଳେ॥
ଚଞ୍ଚଳ ଚିତ୍ତ ଗୋଟି ତ୍ରିକୂଟ ସ୍ଥାନେ ଥୋଇ। ଷଡ ଚକ୍ରେ ଭେଦିଲେ ଦ୍ଵାଦଶ ଇନ୍ଦ୍ରି ନେଇ॥
ପଚିଶ ପ୍ରକୃତି କି ବସାଇ ଗୋଲା ହାଟେ। ମନମତ୍ତ ବାନ୍ଧିଣ ତ୍ରିବେଣୀ ଧାର ତଟେ॥
ହଂସ ସୁହଂସ ବେନି ଭ୍ରମର ଗୁମ୍ଫ ଭରି। କାଉଁରି ମଣ୍ଡଳରେ ଜଗାଇ ଦ୍ଵାର ଚାରି॥
ଅବଧୂତ ବାନାକୁ ସଧୀର କରି ସଞ୍ଚି। ବ୍ରହ୍ମ ରନ୍ଧ୍ରେ ପାଡିଲେ ବିଷମ ଯନ୍ତ୍ର କଞ୍ଚି॥
ପଚାଶ ପାଖୁଡାକୁ ମୁଦିଣ ଗଣ୍ଠିକରି। ନବ ଦ୍ଵାର ନିବାଡି ଚୌବନାକ୍ଷର ଭରି॥
ଠୁଳ ଶୂନ୍ୟ ଉପରେ ଲଗାଇ ହୁତାଶନ। ଆହୁତି ଦେଲେ ନେଇ ଅମୂଲ୍ୟ ଘୃତ ଧନ॥
ଚନ୍ଦ୍ର ଅଙ୍ଗ ନିରୋଧ ତପନ ଅଙ୍ଗ ସାଜି। ବାସ୍ତୋରି ସସ୍ର ନାଡି ଧ୍ଵଂସିଲେ ଖୋଜି ଖୋଜି॥
ଗୁହ୍ୟ କଣ୍ଠ ତାଲୁକା ଶୁଖିଲା ଯହୁଁ ସିଦ୍ଧେ। ଅଜପା ଲୟ ଗୋଟି ବସିଲା ଆସି ହୃଦେ॥"
(ରଘୁନାଥ କୀର୍ତ୍ତନ, ପ୍ରଥମ ଅବକାଶ, ରାବଣ, କୁମ୍ଭ କର୍ଣ୍ଣ ଓ ବିଭୀଷଣର ତପସ୍ୟା ଓ ବରପ୍ରାପ୍ତି ପ୍ରସଙ୍ଗ- ପୃଷ୍ଠା-୨୧)
'ରଘୁନାଥ କୀର୍ତ୍ତନ'ର ପ୍ରଥମ ଅବକାଶର 'ଭଗୀରଥଙ୍କ ଗଙ୍ଗାପ୍ରାପ୍ରି ଓ ପିତୃକୁଳ ଉଦ୍ଧାର' ପ୍ରସଙ୍ଗରେ କବି ମାଠ ଭୌଗଳିକ ଚିତ୍ର ପ୍ରଦାନ କରିଛନ୍ତି। କବିଙ୍କ ଭାଷାରେ :-
"ଯେବଣ ଠାରେ ହସ୍ତୀ କୁଳରେ ସମ୍ଭାଇଲା। ହସ୍ତୀନା ଭୂମି ବୋଲି ତାହାର ନାମ ଦେଲା॥
ଦେବ ବାକ୍ୟେ ଜାହ୍ନବୀ ସନ୍ତୋଷ ଚିତ୍ତ ହୋଇ। ଐଶାନ୍ୟ ଅଭିମୁଖେ ଧାରେକ ଗଲା ବହି॥
ଯେବଣ ଧାରେ ତହୁଁ ଉତ୍ତର ଦିଗେ ଗଲା। ଅଇରାବତ ଗଙ୍ଗାନାମ ସେ ବୋଲାଇଲା॥"
(ରଘୁନାଥ କୀର୍ତ୍ତନ, ପ୍ରଥମ ଅବକାଶ - ପୃ - ୧୦୩)
ପ୍ରକୃତି ଜଗତ ପ୍ରତି କବିଙ୍କର ଥିଲା ଅହେତୁକ ମମତା, ତେଣୁ ପବନ ନନ୍ଦନ ବୀର ହନୁମାନଙ୍କ ମୁଖରେ ଲଙ୍କାଧିପତି ରାବଣର ଚିନ୍ମୟ ପ୍ରାକୃତିକ ପରିବେଶ ମଧ୍ୟରେ ଥିବା 'ମଧୁବନ'ର ଅପରୂପ ସୌନ୍ଦର୍ଯ୍ୟ ବର୍ଣ୍ଣନା ବାସ୍ତବରେ ଥିଲା ଅତ୍ୟନ୍ତ ମନ ମୁଗ୍ଧକର। କବିଙ୍କ ଭାଷାରେ :-
"ତୋରାଦିଶେ ତରାଟ ରଙ୍ଗଣୀ ରଙ୍ଗ କଢି। କଦମ୍ବ କନିଅର କଞ୍ଚଣ ଧାଡି ଧାଡି॥
ମଲ୍ଲୀ ବଲ୍ଲୀ ତମାଳ ମାଳତୀ ଛି ଛି ମାଳି। ମଧୁଲୋଭେ ମଧୁପେ କରନ୍ତି କେଳିମିଳି॥
ନାଗେଶ୍ଵର ଡାଳିମ୍ବ ଦୟାଣା ଛୁରୀ ଅନା। ଫୁଟିନାହିଁ କେତକୀ ହେବାରୁ ଦୋଷ ମନା॥
ପୁନାଙ୍ଗ ଗଙ୍ଗ କୁର ଜୟନ୍ତି ଜବାଦନ୍ତୀ। ଶୋଭା ଦିଶେ ଲବଙ୍ଗ ବିକଶି ଲନ୍ତି ଲନ୍ତି॥
ଆମ୍ବ ଜାମ୍ବ ଜମ୍ଭୀର କଦଳୀ ନାରୀକେଳ। କଇଠ କରମଙ୍ଗା ଖଜୁରି ଗୁଆତାଳ॥
ହେନ୍ତାଳ ହରିତକୀ ଉଦମ୍ବ ଲିମ୍ବ ଜାଇ। ଭଦ୍ରାକ୍ଷ ଉଦରାକ୍ଷ ଦାରାକ୍ଷ ଚାନ୍ଦି ପୋଇ॥"
(ରଘୁନାଥ କୀର୍ତ୍ତନ, ତୃତୀୟ ଅବକାଶ, ଉତ୍ତରାର୍ଦ୍ଧ, ପୃ-୬୦-୬୧, ପ୍ରସଙ୍ଗ-ମଧୁବନ ବର୍ଣ୍ଣନା)
ଷଡଋତୁ ବର୍ଣ୍ଣନାର ଅନ୍ତରାଳରେ କବିଙ୍କର ଗଭୀର ଜୀବନାନୁଭୂତି ବିଜଡିତ ଥିବା ମନେ ହୁଏ। କ୍ରମେ ଶରତ ଅନ୍ତେ ଧରାପୃଷ୍ଠରେ ଶିଶିର ପାତ ହେଲା। ଶୀତର ପ୍ରକୋପରେ ପ୍ରକୃତିରାଣୀ ଶ୍ରୀହୀନ ହୋଇ ପଡିଲେ। ପଦ୍ମ ବନର ବିନାଶ ଘଟିଲା, କୁମୁଦ ଓ ତଗର ପୁଷ୍ପ ବିକଶିତ ହେଲେ। ଶିଶିର ଅନ୍ତେ ଋତୁ ଚକ୍ରର ଆବର୍ତ୍ତନରେ ଧରା ଧାମକୁ ବିଜେକଲେ ହେମନ୍ତ। ପ୍ରସ୍ଫୁଟିତ କିଆ ଓ କୁମୁଦ ପୃଥିବୀକୁ ଶୁଭ୍ରମୟ କରିଦେଲେ। ମନୋରମ ଚନ୍ଦ୍ରକାନ୍ତି ବଢିଲା, କାମୁକ କାମୁକୀ ପରସ୍ପରକୁ ଖୋଜିଲେ। ହେମନ୍ତ ପରେ ଧରା ପୃଷ୍ଠରେ ଋତୁରାଜ ବସନ୍ତର ଆଗମନ ବାସ୍ତବରେ ପ୍ରେମିକ ଦମ୍ପତ୍ତିଙ୍କ ପାଇଁ ହୁଏ ଆନନ୍ଦ ଦାୟକ। କବିଙ୍କ ଦୃଷ୍ଟିରେ ଏହା ଚନ୍ଦନ ବନରେ ଶୃଙ୍ଗାର ରସର ମଧୁମୟ ପ୍ରବାହ ସ୍ଵରୂପ। ସୁରତ ପ୍ରସଙ୍ଗରତ ରାମ ସୀତାଙ୍କ ହୃଦୟରେ ପ୍ରେମର ଭାବ ଉଦ୍ରେକ କରିବା ତା'ର ଏକମାତ୍ର ଲକ୍ଷ୍ୟ। କବିଙ୍କ ଭାଷାରେ:-
"ଶରତ ଅନ୍ତେ ହେଲା ଶିଶିର ଆଗମନ। କୁମୁଦ ବିକସିତ ମଳିନ ପଦ୍ମବନ॥
ତଗର ଆଗ୍ରହରେ ସାଗର ଯାଗ ଘୋଟି। ଜାଗର କଲା ପ୍ରାୟେ ସଳଖି ଆସେ ଫୁଟି॥
ଶିଶିର ଅନ୍ତେ ହେମ ହୋଇଲା ପରବେଶ। ଆନନ୍ଦେ ପର୍ଣ୍ଣକୁଟୀ ଭିତରେ ଅଭିଳାଷ॥
ବସନ୍ତ କାଳେ କେଳି ଚନ୍ଦନ ବନେ ପଶି। ଗ୍ରୀଷ୍ମରେ ଜଳକେଳି ସରିତ ଜଳେ ଝାସି॥
ଏମନ୍ତ ଷଡ ଋତୁ ସମୟ ଭାବ ଜାଣି। କରନ୍ତି କେଳି ସୀତା ସଙ୍ଗତେ ରଘୁମଣି॥"
(ରଘୁନାଥ କୀର୍ତ୍ତନ, ଦ୍ଵିତୀୟ ଅବକାଶ, ପ୍ରସଙ୍ଗ-ଶ୍ରୀରାମଙ୍କୁ ଶରଉ ଋଷିଙ୍କ ଆହ୍ଵାନ-ପୃ-୯୮)
ଉତ୍କଳ ସମ୍ରାଟ ତୃତୀୟ ମୁକୁନ୍ଦ ଦେବଙ୍କ(୧୮୮୮-୧୯୨୭) ସପ୍ତ ତିରିଶି ଅଙ୍କ, କାର୍ତ୍ତିକ ମାସ, କୃଷ୍ଣ ପକ୍ଷ, ନବମୀ ତିଥି, ବୁଧବାର, ମାହେନ୍ଦ୍ର ବେଳା ସମୟେ କବି ନରସିଂହ ମାଠ ଶ୍ରୀ ରଘୁନାଥ ମହାପ୍ରଭୁଙ୍କ କୃପାରୁ ସ୍ଵୀୟ ଗ୍ରନ୍ଥ 'ରଘୁନାଥ କୀର୍ତ୍ତନ' ସମ୍ପୁର୍ଣ୍ଣ କରିଛନ୍ତି। କବିଙ୍କ ଭାଷାରେ:-
"ଶ୍ରୀକ୍ଷେତ୍ରାଧୀପ ଶ୍ରୀ ଶ୍ରୀ ମୁକୁନ୍ଦ ଦେବଙ୍କର। ସପ୍ତ ତିରିଶି ଅଙ୍କ ପ୍ରବେଶ ହୋଇବାର॥
କାର୍ତ୍ତିକ କୃଷ୍ଣ ପକ୍ଷ ନବମୀ ବୁଧବାରେ। ଅନଳ ବେଳା ଅନ୍ତେ ମାହେନ୍ଦ୍ର ପ୍ରବେଶରେ॥
ମାୟା ମୋହ ସଙ୍କଟୁ ବଞ୍ଚିତ ନୋହି ପାରି। ସୀତା ସତୀ ପତିଙ୍କ କୃପାରୁ ପୂର୍ଣ୍ଣ କଲି॥"
(ରଘୁନାଥ କୀର୍ତ୍ତନ-ପଞ୍ଚମ ଅବକାଶ, ପ୍ରସଙ୍ଗ-ପୁଷ୍ପାଞ୍ଜଳି-ପୃ-୮୦)
ଭାଷା, ଶୈଳୀ ଓ ବର୍ଣ୍ଣନା ଚାତୁର୍ଯ୍ୟ ଦୃଷ୍ଟିରୁ ନରସିଂହ ମାଠଙ୍କ 'ରଘୁନାଥ କୀର୍ତ୍ତନ' ବେଶ ମାର୍ଜିତ ଓ କବିତ୍ଵପୂର୍ଣ୍ଣ। ପ୍ରକୃତି ବର୍ଣ୍ଣନା, ଯୁଦ୍ଧ ବର୍ଣ୍ଣନା, ରୂପ ବର୍ଣ୍ଣନା ଆଦିର ବିଳାସ ତାଙ୍କ ଗ୍ରନ୍ଥରେ ପରିଲକ୍ଷିତ ହୋଇଥାଏ। ବର୍ଣ୍ଣନା ବିଳାସ, ଚରିତ୍ର ସୃଷ୍ଟି, ବିଷୟ ବିନ୍ୟାସ, ନୀତି ପ୍ରଖ୍ୟାପନ, ରସ ପରିବେଷଣ ଇତ୍ୟାଦି ଦୃଷ୍ଟିରୁ ତାଙ୍କ 'ରଘୁନାଥ କୀର୍ତ୍ତନ'ର ସାହିତ୍ୟିକ ମର୍ଯ୍ୟାଦା ବେଶ୍ ଦୀପ୍ତିମନ୍ତ ବୋଲି ମନେ ହୁଏ।
କବି ଜଣେ ନିଷ୍ଠାବାନ, ସରଳ ଓ ନ୍ୟାୟ ପରାୟଣ ଥିଲେ। ବିଶେଷ କରି ସେ ଜ୍ୟୋତିଷ ଶାସ୍ତ୍ର, ଆୟୁର୍ବେଦ, ଗୋ ଚିକିତ୍ସା, ସର୍ପ ବିଷ ହାରକ ପ୍ରଭୃତି ବିଦ୍ୟାମାନ ଆୟତ କରି ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରୁଥିଲେ। ଗଞ୍ଜାମ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ଗ୍ରାମରେ ବନର କୁସୁମ ଭଳି ବିକାଶ ଲାଭ କରି କବି ମାତ୍ର ୭୦ ବର୍ଷ ଜୀବିତ ରହିବା ପରେ ୧୯୧୯ ମସିହା ବୈଶାଖ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ ମର ଶରୀର ତ୍ୟାଗ କରି ଅମର ପଥର ଯାତ୍ରୀ ହୋଇଥିଲେ।
ଆଜି କବି ନରସିଂହ ମାଠ ନାହାନ୍ତି ସତ୍ୟ କିନ୍ତୁ ତାଙ୍କ ସ୍ଵରଚିତ ଗ୍ରନ୍ଥ 'ରଘୁନାଥ କୀର୍ତ୍ତନ' ଯୁଗ ଯୁଗ ଧରି ପ୍ରତ୍ୟେକ ଉତ୍କଳୀୟ ମାନଙ୍କର ଘରେ ଘରେ ପୂଜା ପାଇ ଆସୁଥିବ ଏବଂ ଏହି କୃତି ଯୋଗୁଁ ତାଙ୍କ ନାମ ଓଡିଆ ସାହିତ୍ୟର ଇତିହାସରେ ସ୍ଵର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ ଏଥିରେ ବିନ୍ଦୁ ମାତ୍ର ସନ୍ଦେହର ଅବକାଶ ନାହିଁ।
ଡକ୍ଟର ହରିକୃଷ୍ଣ ନାୟକ
ଅଧ୍ୟାପକ,
ଓଡିଆ ଭାଷା ଓ ସାହିତ୍ୟ ବିଭାଗ,
ବିଜ୍ଞାନ ମହାବିଦ୍ୟାଳୟ, କଙ୍କୋରଡା, ଗଞ୍ଜାମ।
☜훉★훉☞