ସମ୍ଭାବନା
ସମ୍ଭାବନା...
କାହିଁ କେତେ ଦୂର...
ଭାଙ୍ଗ ମାପ ଗଣିତର ମୁଁ-
ଅଣନିଶ୍ଵାସୀ ବିଦୁର।
ଶାଗ ପଖାଳର ଆମନ୍ତ୍ରଣ ଧରି-
ଖୋଜୁଛି ତୁମକୁ,
ମୁଁ ଯାଜାବର।
ଛୋଟ ବିଶ୍ଵାସର ଅଙ୍କୁରୋଦ୍ଗମ
କରାଇଥିଲେ ବନ୍ଧୁ ସୁଦାମ
ଜାତି-ଅଜାତି, ଧନୀ-ଗରୀବ ଭୁଲି
ତୁମେ କର ସଭିଙ୍କୁ ପ୍ରେମ।
ନାହିଁ ମୋର ସହଦେବର ଏକାଗ୍ରତା,
ଅବା ନହିଁ ଭୀମର ବଳ।
ଯୁଧିଷ୍ଠିର ଭଳି ନୁହଁ ମୁଁ ଧର୍ମାର୍ଥି,
କିମ୍ବା ଜଣିନି ମୁଁ ଅର୍ଜୁନର କୌଶଳ।
ନକୁଳର ସୁନ୍ଦରତାର କାଣିଚାଏ ନାହିଁ...
ଲଢିବି କେମିତି?
ଏଠି ଶକୁନୀ ବଳ ପ୍ରବଳ।
ସମୟ ସୁଅରେ ଭାସୁଥିବା 'ବରକୋଳି' ମୁଁ
ଏକ ପାଖେ ଝୁଲୁଥିବା ଦୋଳି ମୁଁ
ଦ୍ରୌପଦୀର ବସ୍ତ୍ର ହରଣରେ ଥକିଯାଇଥିବା ଦୁଃଶାସନ ମୁଁ
ପୁଣି ହାତ ଟେକି ଡାକୁଥିବା ପାଞ୍ଚାଳି ମୁଁ।
ତୁମକୁ ଡାକେ, ଆସ ବାରେ, ହୁଅ ସହାୟ।
ତୁମଠୁ ବିରହ ଅନେକ ହେଲାଣି; ଅସହ୍ୟ
ଆସ ଥରେ ମୋ ବସାକୁ...
କର ମୋର ଉତ୍କଣ୍ଠାର ଜୟ।

