ସତ୍ୟଭାମା କିଏ?
ସମୟର ଶବ୍ଦ ନା'
ଲୋକେ କର୍ମ ତତ୍ପର ହେବାର ସଂକେତ...!
ନା ସେ ଶଙ୍ଖ-
ନା ମର୍ଦ୍ଦଳ ବ୍ଲକ୍ କଲୋନୀର...
ବାଜୁଥାଏ ଭୋର ପାଞ୍ଚଟାରୁ-
ଦିନସାରା... ୟାତଯାତ ।
କେଉଁ ଉପାଦାନେ ଗଢା ସେ?
ଖରା ବି କାଟୁନି...
କେଉଁ ରାଇଜୁ ଆସିଛି ସେ?
ବର୍ଷାକୁ ଡରୁନି...
ବୋଧେ ଗ୍ରହ ଯୁଦ୍ଧ ବେଳେ
ଖସିଯାଇଛି ଅନ୍ତରୀକ୍ଷରୁ ଉଲକା ପରି...
ଶୀତକୁ ମାନୁନି !
ସେ ତା' ମନର ରାଜକୁମାରୀ
ଲୋକଙ୍କ କଥାରେ ରାଣୀ
ତା'ର ସମ୍ବଳ ଦୁଇ ହାଣ୍ଡି ପାଣି,
ପୁଣି ଦୁଇ ହାଣ୍ଡି ପାଣି ଆଉ ଦୁଇ ହାଣ୍ଡି ପାଣି...
ତା' ଜୀବନ-
ଚାହା ଏକ କପ୍, ଦୁଇ କପ୍, ତିନି କପ୍...
ଆଉ ଗୋଟିଏ ଝିଅ,
ଆଉ ପୁଅ ।
ମଝିରେ ମଝିରେ
ଆକାଶକୁ ଅନାଇ କହେ
ବାରିପଡା...
ତୋ ମାଁ...
ତୋ ଭଉଣୀ...
ତୋ ଝିଅ...
ତୋ ଘର...
ଆଉ ସବୁ ଦୁଃଖ ଅଜାଡି ଦିଏ
ଅଜାଙ୍କ ଆଗରେ ।
ରଙ୍କ ପଧାନ!
ତା' ସ୍ଵପ୍ନ ସୌଦାଗର!!
କହିଥିଲା-
ହିଞ୍ଜିଳି ଗରୁଡ ଖମ୍ବ ତଳୁ
ରୂପା ଭଅଁରକୁ ଆଣେ-
ତତେ ସ୍ଵପ୍ନ ଦେବି ।
ଘର ଛାଡି, ଦ୍ଵାର ଛାଡି
ପାଣିରେ ବୁଡି
ଆଣିଥିଲା ରୂପା ଭଅଁର
ରଙ୍କ ଦେଖି
ଦାନ୍ତ ଉହାଡରୁ ହସ ପେଲିଦେଲା...
ନଦେଇ ସେ ସ୍ଵପ୍ନର ଝଲକ
ଦେଇଥିଲା ପ୍ରତାରଣା
ଲଦିଥିଲା ତା' ବୁକୁରେ ଦୁଇଟି ଜଞ୍ଜାଳ ।
ମନେ ପଡିଲେ...
ଆକାଶକୁ ଅନାଇ କହେ
ବାରିପଡା...
ତୋ ମାଁ...
ତୋ ଭଉଣୀ...
ତୋ ଝିଅ...
ତୋ ଘର...
ଆଉ ସବୁ ଦୁଃଖ ଅଜାଡି ଦିଏ
ଅଜାଙ୍କ ଆଗରେ ।
ସତ୍ୟଭାମା କିଏ?
ସେ କଣ ବ୍ଲକ୍ କଲୋନୀର ଶଙ୍ଖ?
ସବୁବେଳେ ବାଜୁଥାଏ;
ସକାଳ ସଞ୍ଜରେ-
ବିଜ୍ଞାପିତ ଅଞ୍ଚଳର-
ନଳକୂପ ପାଖେ ।
No comments:
Post a Comment