ସଂସ୍କୃତି ବା କୃଷ୍ଟି ଏକ ରୂଦ୍ଧ ଜଳାଶୟ ନୁହେଁ, ଏକ ପ୍ରବାହମାନ ସ୍ରୋତସ୍ଵିନୀ, ବହୁ ବୈଚିତ୍ର୍ୟକୁ ଅଙ୍ଗୀଭୂତ କରି ସ୍ଵକୀୟ ରୂପ ଲାବଣ୍ୟ ସାହାଯ୍ୟରେ ଏହା ହୁଏ ଦୀପ୍ତିମନ୍ତ ଓ ଭାସ୍ଵର । ବସ୍ତୁତଃ ବିଚାର କଲେ - ସଂସ୍କୃତି ହେଉଛି ଗୋଟିଏ ଜାତିର ଆତ୍ମା ବା ପ୍ରାଣ । ଯେଉଁ ଜାତିର ସାଂସ୍କୃତିକ ପରମ୍ପରା ଯେତେ ସମୃଦ୍ଧ, ଯେତେ ବଳିଷ୍ଠ, ସେହି ଜାତି ବିଶ୍ଵ ଦରବାରରେ ସେହି ପରିମାଣରେ ପ୍ରତିଷ୍ଠିତ ଓ ସମ୍ମାନିତ । ଗୋଟିଏ ଜାତିର ସଂସ୍କୃତିରୁ ତା'ର ରୂପରେଖ ସମ୍ପର୍କରେ ଧାରଣା କରିହୁଏ । ପ୍ରତ୍ୟେକ ଜାତିର ସଂସ୍କୃତିରେ କେତେକ ମୌଳିକ ଗୁଣ ରହିଥାଏ । ପୁନଶ୍ଚ ସଂସ୍କୃତିର ପରିସୀମା ରୂଦ୍ଧ ନୁହେଁ ବରଂ ଉନ୍ମୁକ୍ତ ।
ଭାରତୀୟ ସଂସ୍କୃତି ବହୁ ପୁରାତନ ସଂସ୍କୃତି ଅଟେ । ଭାରତୀୟ ସଂସ୍କୃତି ଯଥାର୍ଥତଃ ସମଗ୍ର ମାନବ ଜାତିର ସଂସ୍କୃତି । ଏ ସଂସ୍କୃତି ଯୁଦ୍ଧ ଧ୍ଵାନ୍ତ ପୃଥିବୀର ଏକମାତ୍ର ରକ୍ଷା କବଚ ଓ ବିରାଟର ଉପାସକ । 'ବସୁଧୈବ କୁଟୁମ୍ବକମ୍' ଏ ସଂସ୍କୃତିର ମୂଳମନ୍ତ୍ର । ସକଳ ପ୍ରକାର ଭୋଗ ଓ ଐଶ୍ଵର୍ଯ୍ୟକୁ ଉପେକ୍ଷା କରି ଭାରତୀୟ ସଂସ୍କୃତି ଉଦାର କଣ୍ଠରେ ଘୋଷଣା କରେ ମାନବିକତାର ତୂର୍ଯ୍ୟନାଦ । ଯୁଗେ ଯୁଗେ ଭାରତୀୟ ସଂସ୍କୃତି ତାର ଅତୀତର ଐତିହ, ଗୌରବ ଏବଂ ଉତ୍କର୍ଷକୁ ନେଇ ଚିର ଭାସ୍ଵର । ଉଲ୍ଲେଖ କରିବା ନିଷ୍ପ୍ରୟୋଜନ ଯେ ଏବଂ ବିଧ ସର୍ବଭାରତୀୟ ସଂସ୍କୃତି ଠାରୁ ଉତ୍କଳୀୟ ସଂସ୍କୃତି ସଂପୂର୍ଣ୍ଣ ଭିନ୍ନ ବା ପୃଥକ ନୁହେଁ । ବହୁ ଅନୈକ୍ୟ ମଧ୍ୟରେ ଐକ୍ୟ ସ୍ଥାପନ କରିବା ଉତ୍କଳୀୟ ସଂସ୍କୃତିର ଆଦର୍ଶ ଅଭିବ୍ୟକ୍ତ । ଉତ୍କଳୀୟ ସଂସ୍କୃତି ସ୍ଵୀୟ ବୈଶିଟ୍ୟ ଯୋଗୁଁ ଏକଦା ଯାଭା, ବାଲି, ବୋର୍ଣ୍ଣି ଓ ସୁମାତ୍ରା, ସିଂହଳ ଜନ ସମାଜରେ ଆଦୃତ ଲଭିଥିଲା । ଏବେ ସୁଦ୍ଧା ସେସବୁ ସ୍ଥାନରେ ଉତ୍କଳୀୟ ସଂସ୍କୃତିର ଚିହ୍ନ ବିଦ୍ୟମାନ । ଉତ୍କଳୀୟ ସୁମହାନ ଜାତିର ମହାନୁଭବତା, ଉଦାର ହୃଦୟତା ଓ ଆତିଥେୟତାର ସୁମହାନ ସଂସ୍କୃତିର ପ୍ରଭାବ ହେତୁ ଯେ ସମ୍ଭବ ହୋଇ ପାରିଛି, ଏଥିରେ ସନ୍ଦେହର ଅବକାଶ ନାହିଁ । ଶ୍ରୀ ଜଗନ୍ନାଥ ହେଉଛନ୍ତି ଉତ୍କଳୀୟ ସଂସ୍କୃତିର ମୂଳାଧାର । ଶ୍ରୀ ଜଗନ୍ନାଥଙ୍କ ନାମରେ ଏ ପ୍ରଦେଶର ସୃଷ୍ଟି ଏବଂ ସର୍ବୋପରି ଶ୍ରୀ ଜଗନ୍ନାଥ ସଂସ୍କୃତି ହିଁ ଏ ଜାତିର ଜାତୀୟ ସଂସ୍କୃତି । ବିଶାଳ ଏଇ ଜଗନ୍ନାଥ ସଂସ୍କୃତିର ରୀତି ନୀତି, ଆର୍ଯ୍ୟ, ଅନାର୍ଯ୍ୟ, ବ୍ରାହ୍ମଣ, ଚଣ୍ଡାଳ ସମସ୍ତେ ଏହି ପୀଠରେ ଏକ ଓ ଅଭିନ୍ନ । ଜଗତର ନାଥ ଭବରେ ଜଗନ୍ନାଥ ଯେପରି ସମସ୍ତଙ୍କୁ ଆଲିଙ୍ଗନ କରି ନିଜ ସହିତ ମିଶାଇ ଦେବାକୁ ଉଦ୍ୟତ, ଅନୁରୂପ ଭବରେ ମାନବ ସଂସ୍କୃତିର ପ୍ରାଣକେନ୍ଦ୍ର ଭାବରେ ବିଶ୍ଵ ସଂସ୍କୃତିର ବିକାଶ ସାଧନ ଏହାର ଅମ୍ୟତମ ଲକ୍ଷ୍ୟ ।
ଏହି ସଂସ୍କୃତିକୁ ମୋଟାମୋଟି ଦୁଇ ଭାଗରେ ବିଭକ୍ତ କରାଯାଇ ପାରେ, ପ୍ରଥମତଃ ଆତ୍ମିକ ଏବଂ ଦ୍ଵିତୀୟତଃ ଭୌତିକ।
୧) ଆତ୍ମିକ ସଂସ୍କୃତି :- ବସ୍ତୁତଃ ବିଚାର କଲେ ଆତ୍ମିକ ସଂସ୍କୃତି ବା 'ଧର୍ମ' ହେଉଛି ମାନବ ଜାତିର ଜୀବନୀ ଶକ୍ତି । ଏହା ହେଉଛି ମାନବ ଜୀବନର ଆତ୍ମବିକାଶର ସାର୍ବଭୌମ୍ୟ ସାରଥି। ମାନବ ଅନ୍ତରର ଅନ୍ତର୍ନିହିତ ଉପଲବଧି ଓ ବିଶ୍ଵାସ ଧର୍ମର ମୂଳ ମନ୍ତ୍ର । ଚକ୍ର ବିହୀନ ରଥ ଯେପରି ଗତିଶୀଳ ହୋଇପାରେ ନାହିଁ, ଅନୁରୂପ ଭବରେ ଧର୍ମ ଓ ନୀତିର ଅଭାବରେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନର ପରିକଲ୍ପନା ଏକାନ୍ତ ଅସମ୍ଭବ । କୌଣସି ଏକ ନିର୍ଦ୍ଦିଷ୍ଟ ଧର୍ମ ଉତ୍କଳୀୟ ଧାର୍ମିକ ସ୍ଥିତିକୁ କବଳିତ କରିପାରି ନାହିଁ, ବରଂ ସବୁ ଧର୍ମକୁ ଆପଣାର କରି ସର୍ବ ଧର୍ମ ସମନ୍ଵୟର ଧ୍ଵଜା ଉଡାଉଛି । ଏହି ପରିପ୍ରେକ୍ଷୀରେ ସାରଳା ସୃଷ୍ଟି ମାନସ ମହାଭାରତରେ ପ୍ରସଙ୍ଗ କ୍ରମେ କବି ଶିବ, ଶକ୍ତି, ଗଣପତି ଓ ସୂର୍ଯ୍ୟ ଆଦି ଦେବ ଦେବୀଙ୍କୁ ଆରାଧନା କରି ଧର୍ମ କ୍ଷେତ୍ରରେ ଯେଉଁ ସ୍ଵକୀୟ ସମନ୍ଵୟ ଶୀଳତାର ପରିଚୟ ପ୍ରଦର୍ଶନ କରିଛନ୍ତି ତାହାକୁ ଏପରି ବିଚାର କରାଯାଇ ପାରେ ।
କ) ଶୈବ ଧର୍ମ:- ଶୈବ ଧର୍ମ ପଞ୍ଚଦଶ ଶତାବ୍ଦୀରେ ଉତ୍କଳରେ ପ୍ରାଧାନ୍ୟ ଲାଭ କରିଥିଲା । କବି ମହାଭାରତର ଅଧିକାଂଶ ସ୍ଥଳରେ ଶୈବ ଧର୍ମର ଉପାସ୍ୟ ଦେବତା ଶିବଙ୍କୁ ସ୍ତୁତି କରିଛନ୍ତି, ଭୁବନେଶ୍ଵର ଶୈବ ପୀଠ ଭବରେ ପ୍ରସିଦ୍ଧି ଲାଭ କରିବା କଥା କବି ସ୍ଵୀୟ ମହାଭାରତର ବନ ପର୍ବରେ ଏହିପରି ବର୍ଣ୍ଣନା କରିଛନ୍ତି ।
"ସକଳ ଲିଙ୍ଗ ଅଛନ୍ତି ଏହି ତୀର୍ଥ ଠାବେ
ଦେବେ ମର୍ତ୍ତ୍ୟ ପୂଜାକଲେ ଆସି ଏହି ଭାବେ ।"
ଖ) ଶାକ୍ତ ଧର୍ମ :- କବି ସାରଳା ଦାସ ଆପଣାର କୃତି ମହାଭରତର ବନପର୍ବରେ ଶକ୍ତିମୟୀ ଦେବୀ ଝଙ୍କଟବାସିନୀ ଶାରଳାଙ୍କ ବନ୍ଦନା ଓ ସ୍ତୁତି ପାଠରେ ଶତମୁଖର ହୋଇ ପଡିଛନ୍ତି ।
"ନମସ୍ତେ ଗିରିଜା ମାଗୋ ଝଙ୍କଡ ବାସିନୀ
ଅନଳ ସମ୍ଭବି ମୁଖ ତୋର ସରୋଜିନୀ
କୃପାଜଳ ନନ୍ଦିନୀ ନର୍ମଦା ସରସ୍ଵତୀ
ଚନ୍ଦ୍ରଭାଗା ତୀରେ ଯୋଗ ଲୟ ସ୍ଥିତି ।"
ଗ) ସୌର ଧର୍ମ :- ସୂର୍ଯ୍ୟ ଦେବଙ୍କୁ କେନ୍ଦ୍ର କରି ସୌର ଧର୍ମର ସୃଷ୍ଟି ହୋଇଛି । ସୂର୍ଯ୍ୟଙ୍କୁ କବି ସୃଷ୍ଟି, ସ୍ଥିତି ଓ ପ୍ରଳୟର କର୍ତ୍ତା ଭାବରେ ଅଭିହିତ କରିଛନ୍ତି । ଅର୍କ କ୍ଷେତ୍ରରେ ମାହତ୍ମ୍ୟ ପ୍ରଖ୍ୟାପନରେ କବି ନବ ପର୍ବରେ ସୂର୍ଯ୍ୟ ଦେବଙ୍କର ମହିମା ବର୍ଣ୍ଣନା କରିଛନ୍ତି ।
"ତ୍ରଇ ଲୋକ୍ୟ ଦୀପନ ନାଥ ନମସ୍ତେ ନାରୟଣ
ଏ ଅଗତି ସଂସାରକୁ ନାଥ ସେ କାରଣ
ତବ ପଦ୍ମ ପାଦେ ଭଗତି ଭାବେ ସେବି
କାଳ ବଞ୍ଚାଇଲା ନାଥ ସରୋଳ ଦାସ କବି ।"
ଘ) ଗାଣପତ୍ୟ ଧର୍ମ :- ପଞ୍ଚଦଶ ଶତାବ୍ଦୀର ଉତ୍କଳରେ ଗାଣପତ୍ୟ ଧର୍ମର ପ୍ରଭାବ ରହିଥିଲା । ମହାଭାରତର ମଧ୍ୟ ପର୍ବରେ ଅଗ୍ରପୂଜ୍ୟ ଗଣପତିଙ୍କର ସୁବିସ୍ତୃତ ବର୍ଣ୍ଣନା ପ୍ରକାଶ ଲାଭ କରିଛି ।
"ବନ୍ଦଇ ଶ୍ରୀ ଗଣମୁଖ ଦେବ ଗଣପତି
ସୁର ସିଦ୍ଧ ଗଣେ ଯାର ଚରଣେ ସେବନ୍ତି
ଜୟ ଜୟ ଲମ୍ବୋଦର ବିକ୍ରମ ମୂରତି
ପରଶୁଧର ସୁନ୍ଦର ତୁହି ଗଣପତି
ସଦା ବିଘ୍ନନାଶ କରୁ ବିଘ୍ନରାଜ ତୁହି
ଆପଦ ଖଣ୍ଡନ ନାଥ ହରୁ ତୁ ଦୁର୍ଗତି।"
ଙ) ବୈଷ୍ଣବ ଧର୍ମ :- ଉତ୍କଳରେ ବୈଷ୍ଣବ ଧର୍ମ ଜଗନ୍ନାଥ ଧର୍ମରେ ରୂପାନ୍ତରିତ ହୋଇ ଯାଇଥିବା ସର୍ବଜନ ବିଦିତ । ଏଣୁ ଜଗନ୍ନଥ ଓ ଶ୍ରୀକୃଷ୍ଣଙ୍କ ମଧ୍ୟରେ କବି ଅଭେଦତ୍ଵ ପ୍ରତିପାଦନ କରି, ସ୍ଵୀୟ ମହାଭାରତର ମଧ୍ୟପର୍ବରେ ଏହାର ମନୋଜ୍ଞ ବର୍ଣ୍ଣନା କରିଛନ୍ତି ।
"ଜୟ ଜୟ ରୁକ୍ମିଣୀ ବଲ୍ଲଭ ଜଗନ୍ନାଥ
ଜୟ ଜୟ ଜମ୍ବୋବତୀର ଆତ୍ମା ସୁଆର୍ଥ ।"
* * * * * * *
"ଜୟ ଜୟ ଶରଣ ରକ୍ଷଣ ମଧୁ ରିପୁ
ଜୟ ଜୟ ପରମାନନ୍ଦ ନୀଳ ବଳ ବପୁ ।"
ଉତ୍କଳୀୟ ସମାଜକୁ ଧାର୍ମିକ ଆଦର୍ଶର ରଜ୍ଜୁରେ ବାନ୍ଧି ରଖିବା ପାଇଁ କବି ଆପଣାର ସୃଷ୍ଟି ମାନସରେ ପ୍ରଚାର କରିଯାଇଛନ୍ତି ସର୍ବ ଧର୍ମ ସମନ୍ଵୟର ଉଦାତ୍ତବାଣୀ ।
୨) ଭୌତିକ ସଂସ୍କୃତି :- ଓଷା, ବ୍ରତ, ପୂଜା ପାର୍ବଣ, ନୃତ୍ୟ ସଙ୍ଗୀତ, ଖାଦ୍ୟପେୟ, କଳା ସ୍ଥାପତ୍ୟ, ଅତିଥି ସତ୍କାର କ୍ରମରେ-ଭୌତିକ ସଂସ୍କୃତିର ଆଲୋଚନା କରାଯାଇ ପାରେ ।
କ) ପର୍ବପର୍ବାଣୀ :- ପୁଣ୍ୟ ଭୂମି ଉତ୍କଳରେ ସରଳପଲ୍ଲୀ ଜନତା ଆଧ୍ୟାତ୍ମିକ ଭାବ ଧାରାରେ ତନ୍ମୟ ହୋଇ କର୍ମମୟ ଜୀବନରୁ କିଛି ସମୟ ଅବସର ନେଇ ଜୀବନର ଜ୍ଵଳାକୁ ବିସ୍ମରି ଯିବା ପାଇଁ ବହୁ ପ୍ରଚୀନ କାଳରୁ ବହୁବିଧ ପର୍ବପର୍ବଣୀ ପାଳନ କରି ଆସୁଛନ୍ତି। ସାମଜିକ ଜୀବନରେ ପର୍ବ ପର୍ବାଣୀର ପ୍ରଭାବ ବ୍ୟାପକ ଓ ଗଭୀର ଭାବରେ ରେଖାପାତ କରି ଆସିଛି । ପୁଣ୍ୟଭୂମି ଓଡିଶାରେ 'ବାର ମାସରେ ତେର ପର୍ବ' ଅନୁଷ୍ଠିତ ହୋଇଥାଏ । ଏହି ରାଜ୍ୟର ଆଗାଧ୍ୟ ଦେବତା ଜଗତରନାଥ ଜଗନ୍ନାଥଙ୍କ ଦ୍ଵାଦଶ ଯାତ୍ରା ଯଥା :- ଚନ୍ଦନ ଯାତ୍ରା, ସ୍ନାନ ଯାତ୍ରା, ରଥ ଯାତ୍ରା, ଝୁଲଣ ଯାତ୍ରା, ଜନ୍ମାଷ୍ଟମୀ, ବିଜୟା ଦଶମୀ, ରାସ ପୁର୍ଣ୍ଣିମା, ପ୍ରାବରଣ ଉତ୍ସବ, ପୁଷ୍ୟାଭିଷେକ, ମକର ଉତ୍ସବ, ଦୋଳ ଯାତ୍ରା, ଦମନକ ଯାତ୍ରା ଇତ୍ୟାଦି ପରିପାଳନରେ ଉତ୍କଳୀୟ ପର୍ବପର୍ବାଣୀ ବର୍ଣ୍ଣାଢ୍ୟ ଓ ବର୍ଣ୍ଣୋତ୍ସବମୟ କରି ଗଢି ତୋଳି ସାଂସ୍କୃତିକ ସ୍ଵାତନ୍ତ୍ର୍ୟକୁ ପରିସ୍ଫୁଟ କରିପାରିଛି । ଆଷାଢ, କାର୍ତ୍ତିକ, ମାର୍ଗଶୀର ଓ ବୈଶାଖ ଏହି ଚାରି ମାସ ପବିତ୍ର ମାସ ଭାବେ ଗୃହୀତ, ପଞ୍ଚମୀରେ ନାଗରାଜା, ଷଷ୍ଠୀରେ କାର୍ତ୍ତୀକେୟ, ସପ୍ତମୀରେ ସୂର୍ଯ୍ୟ, ଅଷ୍ଟମୀରେ ଶଙ୍କର, ନବମୀରେ ଦୁର୍ଗା, ଦଶମୀରେ ବ୍ରହ୍ମା, ଏକାଦଶରେ ରୁଦ୍ର, ଦ୍ଵାଦଶରେ ବିଷ୍ଣୁ, ତ୍ରୟୋଦଶରେ କାମଦେବ, ଚତୁର୍ଦ୍ଦଶରେ ଶିବଙ୍କ ପାଇଁ ଉପବାସ କରାଯାଏ ।
ଖ) ଓଷା ବ୍ରତ :- ସଂସ୍କୃତ 'ଉପାସନା' ଶବ୍ଦରୁ ଓଷା ଶବ୍ଦ ରୂପାନ୍ତରିତ ହୋଇଅଛି। ଦୃଢ ଚିତ୍ତରେ ଆରାଧନା କରିବାକୁ 'ବ୍ରତ' କୁହାଯାଏ । ବ୍ରତ ଶବ୍ଦ ସଂସ୍କୃତ ଭାଷାରୁ ଆସିଥିବା ବେଳେ 'ଓଷା' ଶବ୍ଦ ଦେଶଳ ଅଟେ । ବ୍ରତ ଓ ଓଷା ମଧ୍ୟରେ କୌଣସି ଅର୍ଥଗତ ତାରତମ୍ୟ ବା ପର୍ଥକ୍ୟ ନାହିଁ । ବିଭିନ୍ନ ଓଷା ବ୍ରତ ମଧ୍ୟରେ ଭାଦ୍ରବ ମାସରେ ଖୁଦୁରୁକୁଣୀ ଓଷା, ଆଶ୍ଵିନ ମାସରେ ଜହ୍ନି ଓଷା, କାର୍ତ୍ତିକ ମାସରେ କାର୍ତ୍ତିକ ବ୍ରତ ପାଳନ, ମାର୍ଗଶିର ମାସରେ ଗୁରୁବାର ମାଣବସା, ମାଘ ମାସରେ ମାଘ ବ୍ରତ, ହରିଜନ୍ମ ବ୍ରତ, ଗଙ୍ଗା ସ୍ନାନ, ଭୀଷ୍ମ ପଞ୍ଚକ ବ୍ରତ ଆଦି ଉତ୍କଳରେ ପାଳିତ ହେଉଥିବା ଅନୁମିତ ହୁଏ ।
ଗ) ନୃତ୍ୟ ସଂଗୀତ :- ଉତ୍କଳୀୟ ନୃତ୍ୟ, ସଂଗୀତ ସ୍ଵକୀୟ ବୈଶିଷ୍ଟ୍ୟରେ ଯେପରି ସମୃଦ୍ଧବନ୍ତ ସେହିପରି ଗୌରବାନ୍ଵିତ । ସଂପ୍ରତି ଏହି ନୃତ୍ୟ ସଂଗୀତକୁ ଓଡିଶୀ ନୃତ୍ୟ ଓ ଓଡିଶୀ ଗୀତ ଭାବରେ ନାମିତ କରା ଯାଇପାରେ । ମନ୍ଦିର ମାଳିନୀ ଓଡିଶାରେ ବହୁ ପୁର୍ବରୁ ବିଭିନ୍ନ ପୂଜା ପାର୍ବଣ ସମୟରେ ଉତ୍କଳୀୟ ମାନେ ଦେବଦେବୀ ମନ୍ଦିରରେ ପୂଜା ଅର୍ଚନା କରିବା ସଙ୍ଗେ ସଙ୍ଗେ ଚିତ୍ତ ବିନୋଦନ ପାଇଁ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରୁଥିଲେ । ସାରଳା ମହାଭରତରେ ଏହି ସାଂସ୍କୃତିକ ନୃତ୍ୟ ସଙ୍ଗୀତ ପରମ୍ପରାର ଅମରସ୍ଵାକ୍ଷର ବିଦ୍ୟମାନ । ଦ୍ରୌପଦୀ ସ୍ଵୟମ୍ବର କାଳରେ ଯୁବତୀମାନେ ସମବେତ ହୋଇ ମିଳିତଭାବରେ ନୃତ୍ୟ ପରିବେଷଣ ଓ ସଙ୍ଗୀତ ଗାନ କରୁଥିବାର ସୁମଞ୍ଜୁଳ ବର୍ଣ୍ଣନା 'ବିରାଟ ପର୍ବ'ରେ ରହିଅଛି ।
"ଉଭାରିଲେ ସୁନ୍ଦରୀ ସହସ୍ରେକ ଉଲ୍ଲେଳ ନେତ ଛତ୍ରୀ
ଛାମୁରେଣ ନୃତ୍ୟ କରନ୍ତି ସହସ୍ରେକ ଯୁବତୀ ।
ମଧୂର ରସବାଦ୍ୟେ ବାଜଇ ଶୁଦ୍ଧ ବାଣୀ
କୋକିଳ ଧୁନି ସୁସ୍ଵରେ ଗାବନ୍ତି ଗାୟେଣୀ ।"
ଘ) କଳା ଓ ସ୍ଥାପତ୍ୟ :- କଳା ଓ ସଭ୍ୟତା ସଂସ୍କୃତିର ଶ୍ରେଷ୍ଠ ନିଦର୍ଶନ, କଳା ବୋଧ ହିଁ ମନୁଷ୍ୟ ମଧ୍ୟରେ ଗୁଣଧର୍ମର ବିକାଶ ସାଧନ କରିବାରେ ସହାୟକ ହୋଇଥାଏ । ବସ୍ତୁତଃ ବିଚାର କଲେ ଉତ୍କଳ ହେଉଛି କଳାର ଦେଶ । କଳା କ୍ଷେତ୍ରରେ ଉତ୍କର୍ଷ ଲାଭ କରିଥିବାରୁ ଆମ ରଜ୍ୟର ନାମ ହୋଇଛି ଉତ୍କଳ । ପ୍ରଚୀନ ଉତ୍କଳର କଳା ବିଭବ ଏହାର ନାମ କରଣକୁ ସାର୍ଥକ କରିଅଛି । ଯୁଗେ ଯୁଗେ ଉତ୍କଳ କଳା ଲକ୍ଷ୍ମୀର ପଦ ବନ୍ଦନା କରି ଆସିଛି । ଏ ଦେଶର ଶିଲ୍ପୀକୁଳ କେତେକ ପାଷାଣ ବୁକୁରେ ରମ୍ୟ କଳାର ବିଳାସ ସୃଷ୍ଟି କରିଛନ୍ତି ତ କେତେବେଳେ ତାଳପତ୍ରରେ ଆଙ୍କିଦେଇଛନ୍ତି ରମଣୀୟ କଳା, ପୁଣି ଉତ୍କଳର ପୁର ପଲ୍ଲୀର ନାରୀମାନେ ଲକ୍ଷ୍ମୀଙ୍କ ପଦ ବନ୍ଦନାକରି ଝୋଟି ମୁରୁଜରେ ସୃଷ୍ଟି କରିଛନ୍ତି କଳାର କମନୀୟ ରୂପ ବିଭବ । ଉତ୍କଳୀୟ ମନଙ୍କର କଳାବିଳାସର ଅନ୍ତ ନାହିଁ । ସତେ ଯେପରି କଳା ତାର ପ୍ରାଣ, କଳା ତାର ସକଳ ଚେତନା, କଳା ତାର ଜୀବନର ଅଭିବ୍ୟକ୍ତି । କଳା, ତାର ଧର୍ମ, ଧରଣା ଓ କଳା ସବୁ ଯେପରି ମିଶିଯାଇ ସୀମା ଭିତରେ ଅସୀମ ସତ୍ତାକୁ ପ୍ରକାଶ କରିଛି ।
ଝ) ଖାଦ୍ୟ ପେୟ :- ଉତ୍କଳୀୟ ମାନଙ୍କ ଖାଦ୍ୟ ପେୟରେ ସ୍ଵକୀୟ ବୈଶିଷ୍ଟ୍ୟ ପରିଲକ୍ଷିତ ହୋଇଥାଏ । ଶିବଙ୍କ ପ୍ରୀତ୍ୟର୍ଥେ ପର୍ବତୀ ଯେଉଁ ଖାଦ୍ୟ ପ୍ରସ୍ତୁତ କରିଥିଲେ ତାହାର ବର୍ଣ୍ଣନା ସାରଳା ମହାଭାରତର ମଧ୍ୟ ପର୍ବରେ ସୁନ୍ଦର ଭାବରେ ପ୍ରକାଶ ପାଇଛି।
"ରନ୍ଧନ କଲେ ଯାଇଁ ବେଗେ ଶାଳି ଅନ୍ନ
ହେଙ୍ଗୁ, ଜିରା, ମେଥି ପକାଇଣ ମୁଗ ଯେ ତିଉଣ
କୁନ୍ଦଲିଚି ପୁରି ବଢା ଝିଲି ଯେ ମିଠାଇ
ଆରିସା ଲଡୁ କଚୋରୀ ସିଙ୍ଗଡା ଯେ ଖଇ ।
ଶୁଆଁ ମଣ୍ଡା ଯେଣ୍ଡୁରି ଗଇଁଠା ଯେଉଟ ଫୁଲ
ଚିନି ପକାଇଣ ପଣା କଲେ ସମତୁଲ ।
ଚକୁଲି ଛୁଞ୍ଛି ପତର ଛେନା ମନୋହର
ଖିରି ଖିରିସା ଶାକର ସକଳ ଦ୍ରବ୍ୟ ସାର । "
ପଞ୍ଚଦଶ ଶତାବ୍ଦୀର ଉତ୍କଳରେ ଏହିପରି ଖାଦ୍ୟପେୟ ଓ ପାକ ପ୍ରଣାଳୀର ବ୍ୟବସ୍ଥା ରହିଥିବା କବି ସ୍ଵରଚିତ ଗ୍ରନ୍ଥରେ ବର୍ଣ୍ଣନା କରିଛନ୍ତି ।
ଚ) ଅତିଥି ସତ୍କାର :- ଅତିଥି ମାନଙ୍କୁ ସମ୍ମାନ ପ୍ରଦର୍ଶନ ସହ ସେମାନଙ୍କର ସେବାଶୁଶ୍ରୁଷା ଓ ଖାଦ୍ୟପେୟ ପ୍ରତି ତୀକ୍ଷଣ ଦୃଷ୍ଟିଦେବା ଉତ୍କଳୀୟ ମାନଙ୍କର ଅନ୍ୟତମ ବୈଶିଷ୍ଟ୍ୟ । ଅତିଥି ପରାୟଣତା ଏ ଜାତିର ଧମନୀରେ ରକ୍ତଭଳି ବହୁ ପୁର୍ବରୁ ପ୍ରବାହିତ ହୋଇ ଆସିଛି । ଏହି ବର୍ଣ୍ଣନା କବି ମହାଭାରତର ମଧ୍ୟ ପର୍ବରେ ପ୍ରାଞ୍ଜଳ ଭାବେ ଦେଇଛନ୍ତି ।
ଛ) ଆମୋଦ ପ୍ରମୋଦ :- ସ୍ଵ୍ୟାସ୍ଥ୍ୟ, ଶିକ୍ଷା ଓ ଧର୍ମ ଭଳି ଆମୋଦ ପ୍ରମୋଦ ମଧ୍ୟ ବ୍ୟକ୍ତିତ୍ଵ ବିକାଶର ଅନ୍ୟ ଏକ ମାଧ୍ୟମ । ପଶାଖେଳ, ଝିମାଣିବା ଡୁ ଡୁ ଖେଳ, ଲାଟ ଖେଳ, ଧୁଳି ଖେଳ, ପଶୁ ପକ୍ଷୀ ଶିକାର, ମଲ୍ଲ ଯୁଦ୍ଧ, ଜଳ କ୍ରୀଡା, ବନ ବିହାର ପ୍ରଭୃତି ବିଷୟ କବି ସ୍ଵୀୟ ଗ୍ରନ୍ଥରେ ବୟାନ କରିଛନ୍ତି ।
ଧର୍ମ ଧରଣା ଆଲୋଚନା କ୍ରମରେ ଓଷା, ବ୍ରତ, ପୂଜା ପାର୍ବଣ, ନୃତ୍ୟ ସଙ୍ଗୀତ, ଖାଦ୍ୟ ପେୟ, କଳା ସ୍ଥାପତ୍ୟ, ଅତିଥି ସତ୍କାର, ଆମୋଦ ପ୍ରମୋଦ ଆଦିର ବିଚାର କରାଯାଇ ସାରଳା ସାହିତ୍ୟର ମୂଲ୍ୟାବଧାରଣ କରାଯାଇଛି । ଏତର୍ଦବ୍ୟତୀତ ଶିବ, ଶକ୍ତି, ଗଣପତି, ସୂର୍ଯ୍ୟ ଓ ଜଗନ୍ନାଥ ଆଦି ଦେବତାଙ୍କୁ ଆରାଧନା କରି ଧର୍ମ କ୍ଷେତ୍ରରେ କବି ସ୍ଵକୀୟ ସମନ୍ଵୟ ଶୀତଳତାର ପରିଚୟ ପ୍ରଦର୍ଶନ କରିଛନ୍ତି । ସାମାଜିକ ଆଦର୍ଶର ପ୍ରତିଷ୍ଠା କଳ୍ପେ ଜାତୀୟ କବି ଶୁଦ୍ରମୁନୀ ସାରଳାଦାସ ଆପଣାର କାବ୍ୟ ମାନସରେ ଉତ୍କଳୀୟ ସାଂସ୍କୃତିକ ଆଦର୍ଶ ବୋଧର ପ୍ରଚାର କରି "ଯାହା ନାହିଁ ଭାରତେ ତାହା ନାହିଁ ଭାରତେ" ଉକ୍ତିର ପ୍ରମାଣ ଦର୍ଶାଇଛନ୍ତି । ଆମ ସାଂସ୍କୃତିକ ପରମ୍ପରାକୁ ସର୍ବକାଳରେ ଅତୁଟ ରଖି ଏହାର ସମସ୍ତ ଆଦର୍ଶକୁ ସମଧିକ ଆଲୋକ ଓ ଅଜୌଲ୍ୟରେ ସମୁର୍ଦଭାସିତ କରାଇବା ପାଇଁ କବି ମହାଭାରତ ମାଧ୍ୟମରେ ଆମ୍ଭ ମାନଙ୍କୁ ଦିଗ୍ ଦର୍ଶନ ଦେଇଛନ୍ତି ।
No comments:
Post a Comment