(ଗାହାଣ୍ ଶୈଳୀରେ)
ଯୋଗୀସିଦ୍ଧ ସାଧକର ସାଧନା ସ୍ଥଳ
ଗହନ ବନରେ ଶୋଭା କେରାଣ୍ଡିମାଳ ।
ଚାରିକୋଣେ ଚାରିଦିଗେ ଆଠୋଟି ଶକ୍ତି
ଅଷ୍ଟଶକ୍ତି ପୀଠ ରୂପେ ଘେରି ଅଛନ୍ତି ।
ପୂର୍ବଦିଗରେ ପଞ୍ଚମା "ଗଣେଶ" ଖ୍ୟାତ
ଅଗ୍ନି କୋଣେ ସିଦ୍ଧ "ଭଇରବି" ବିଖ୍ୟାତ ।
ଦକ୍ଷିଣରେ "ବାଳକୁମାରୀ" ଦେବୀ ପୀଠ
'ବାରାହୀ' ନୈଋତ କୋଣେ କଳବାଡସ୍ଥ ।
ପଶ୍ଚିମରେ 'ରତନେଇ' ବାୟବ୍ୟ କୋଣେ
ମାଆ 'ବାଙ୍କେଶ୍ଵରୀ' ଭକତ ଡାକ ଶୁଣେ ।
କରୁଛି କେତେ ଅପୂର୍ବ ଘଟଣା ମାନ ।
ବାଙ୍କ ନୟନରେ ମାଆଲୋ ଚାହିଁଲେ ମୋତେ
ଘୁଞ୍ଚିଯିବ ମୋର ଦୁଃଖ କଷଣ ଯେତେ ।
ଉତ୍ତରେ 'କାଳୁଆ' ଇଶାନେ 'ଠାକୁରାଣୀ'
ବ୍ରହ୍ମପୁରେ ଥାଇ ଡାକ ଶୁଣନ୍ତି ପୁଣି ।
କେରାଣ୍ଡିମାଳର ଅଟେ ଏ ଆଠ ଦୁର୍ଗ
ଅଷ୍ଟଶକ୍ତି ପୀଠ ରୂପେ ଅଛି ଗୌରବ ।
ଅନନ୍ତ ଅନଙ୍ଗ କେଶରୀ ନରପତି
ବଡଖେମୁଣ୍ଡିରେ ଯାର ଥିଲା ରାଜୁତି ।
ଉତ୍କଳ ଗଙ୍ଗବଂଶର 'ମାଣିକେଶ୍ଵରୀ'
ସେ ବଂଶ ଦାୟଦଙ୍କର 'ମା' ବାଙ୍କେଶ୍ଵରୀ' ।
ବାଙ୍କେଶ୍ଵରୀ ପରବତ ଉପରେ ଅଛୁ
ଜଗତଜନନୀ ବାନା ତୁ ଉଡାଉଛୁ ।
ଦୋଳ ପୂର୍ଣ୍ଣିମା ଦିନରେ ପରବ ତୋର
ଯାଚି ଯାଚି ଭକତଙ୍କୁ ଦେଉତୁ ବର ।
'କାଠଡେରା' ଉତ୍ସବ ତୋ କହି ନୁହଇ
ଯା' ମନ ଯେପରି ସେହି ଫଳସେ ପାଇ ।
ସଙ୍କଟ କାଳରେ ଆଜି ଡାକୁଛି ତୋତେ
ଭକତବତ୍ସଳା ଦୟା କର କିଞ୍ଚିତେ ।
କି ନାମ ଧରି ଡାକିଲେ ଶୁଣିବୁ ତୁହି
କି ଦରବେ ପୂଜା ତୋତେ କରିବି ମୁହିଁ ।
ଅନ୍ତରର କଥା ଜାଣୁ ତୁ ଭଗବତୀ
ତୋର ଭକ୍ତି ପାଇଁ ମୋତେ ଦେ' ଶକତି ।
ବିପଦ କାଳରେ ମାତ ଡାକିଲେ ତୋତେ
ସଙ୍କଟରୁ ପାରି କରୁଥିବୁ ତୁ ମୋତେ ।
ଭକତବତ୍ସଳା ମା' ତୁ ବାଙ୍କେଶ୍ଵରୀ
ହରିକୃଷ୍ଣ ଡାକ ଶୁଣିବୁ କାନ ଡେରି ।
ଏତିକି ମିନତି ମୋର ମା' ବାଙ୍କେଶ୍ଵରୀ
ଏତିକି ପ୍ରାଥନା ମୋହରି ।
No comments:
Post a Comment