ସମଗ୍ର ମାନବ ଜାତିର ଇତିହାସରେ ଧର୍ମ ଭାବନା ବହୁ ପ୍ରାଚୀନ । ଏହା ହେଉଛି ମାନବ ଜୀବନର ଆତ୍ମ ବିକାଶର ସାର୍ବଭୌମ ସାରଥି । ଚକ୍ର ବିହୀନ ରଥ ଯେପରି ଗତିଶୀଳ ହୋଇପାରେନା, ଅନୁରୂପ ଭାବରେ ଧର୍ମ ଓ ନୀତିର ଅଭାବରେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ୍ ପରିକଳ୍ପନା ଏକାନ୍ତ ଅସମ୍ଭବ । ଯୁଗ ଯୁଗ ଧରି ଏ' ଦେଶର ଧର୍ମ ପ୍ରଚାରକ ଗଣ ଧର୍ମକୁ ରକ୍ଷା କରି, ଏହାକୁ ଜୀବନ ସହିତ ଏକାତ୍ମ କରି ଧର୍ମ ଦ୍ଵାରା ହିଁ ରକ୍ଷିତ ହୋଇ ଆସିଛନ୍ତି । ପଞ୍ଚ ଦେବତାଙ୍କ ଉପାସନା ଭାରତୀୟ ଧର୍ମ ପରମ୍ପରାକୁ ପରିପୁଷ୍ଟ କରିଆସିଛି । ଯଥା:-
"ଗଣେ ନାରାୟଣେ ରୁଦ୍ରେ ଅମ୍ବିକେ ଭାସ୍କରେ ତଥା
ଭିନ୍ନା ଭିନ୍ନ ନକର୍ତ୍ତବ୍ୟଂ ପଞ୍ଚଦେବ ନମୋସ୍ତୁତେ ।"
ବିନାୟକ, ବିଷ୍ଣୁ, ଶିବ, ଶକ୍ତି ଓ ସୂର୍ଯ୍ୟ ଏହି ପଞ୍ଚ ଦେବ, ଦେବୀଙ୍କୁ ପରମ ତତ୍ତ୍ଵ ରୂପେ ସ୍ଵୀକାର କରି ଉପାସନା କରାଯାଏ । ବସ୍ତୁତଃ ବିଚାର କଲେ ପୁଣ୍ୟ ଭୂମି ଭାରତରେ ସର୍ବ ଧର୍ମ ମଧ୍ୟରେ ବୈଷ୍ଣବ, ଶୈବ, ଶାକ୍ତ, ସୌର ଓ ଗାଣପତ୍ୟ ଧର୍ମର ପ୍ରଭାବ ସର୍ବାଧିକ ।
ସମନ୍ଵୟାତ୍ମକ ଭାରତୀୟ ସଂସ୍କୃତିର ପ୍ରବାହମାନ ଧାରାରେ ଜାତି, ଧର୍ମ, ବର୍ଣ୍ଣ, ସଂପ୍ରଦାୟ ନିର୍ବିଶେଷରେ ବିଘ୍ନରାଜ ବିନାୟକ ସର୍ବ ପୂଜ୍ୟ ଗଣ ଦେବତାର ଆସନ ଅଳଙ୍କୃତ କରି ଶ୍ରୀ ଗଣେଶ ନାମରେ ଖ୍ୟାତ । ପ୍ରଭୁ ଶ୍ରୀ ଗଣନାଥଙ୍କ ଲୀଳା ମାହାତ୍ମ୍ୟ ନିମ୍ନ ମତେ ବିଚାର୍ଯ୍ୟ ।
ଋକ୍ ବେଦ ଦ୍ଵିତୀୟ ମଣ୍ଡଳରୁ ଗଣନାଥ ଗଣେଶ ଉପାସନାର ପ୍ରାଚୀନତମ ନିଦର୍ଶନ ଉପଲବ୍ଧ ହୋଇଥାଏ । ଏହି ସୂକ୍ତରେ ଶ୍ରୀ ଗଣେଶଙ୍କୁ ଦେବତା ମାନଙ୍କ ମଧ୍ୟରେ ଶ୍ରେଷ୍ଠ, କବି ମାନଙ୍କ ମଧ୍ୟରେ ବରେଣ୍ୟ ତଥା ଜ୍ୟେଷ୍ଠ ଏବଂ ଶ୍ରେଷ୍ଠ ରୂପରେ ଚିତ୍ରଣ କରାଯାଇଛି । ଯଜୁର୍ବେଦରେ ମଧ୍ୟ ଋକ୍ ବେଦ ସୂକ୍ତର ଏକ ଭିନ୍ନ ରୂପ ପରିଲକ୍ଷିତ ହୁଏ । ଭାରତୀୟ ଧର୍ମ ଧାରାରେ ବୈଦିକ କାଳରୁ ଗଣପତି ଶ୍ରୀ ଗଣେଶ ଉପାସନାର ଉନ୍ମେଷ ଘଟିଛି । ସୂଚନା ଯୋଗ୍ୟଯେ ବୈଦିକ ମନ୍ତ୍ରରେ ଗଣପତିଙ୍କୁ ସର୍ବ ସିଦ୍ଧ ଦାତା, ଋଦ୍ଧି ସିଦ୍ଧି ଦାତା, ସର୍ବ ମଙ୍ଗଳ ମୟ ରୂପେ ସ୍ତୁତି କରାଯାଏ । ଯଥା:-
"ଓଁ ଖର୍ବଂ ସ୍ଥୁଳତନୁଂ ଗଜେନ୍ଦ୍ର ବଦନଂ ଲମ୍ବୋଦରଂ ସୁଦରଂ
ପ୍ରସ୍ୟନ୍ଦନ୍ ମଦଗନ୍ଧ ଲୁବ୍ଧ ମଦୁପ ବ୍ୟାଲୋଳ ଗଣ୍ଡ ସ୍ଥଳମ୍
ଦନ୍ତାଘାତି ବିଦାରିତାରି ରୁଧିରୈଃ ସିନ୍ଦୁର ଶୋଭା କରଂ
ବନ୍ଦେ ଶୈଳ ସୁତା ସୁତଂ ଗଣପତି ସିଦ୍ଧିପ୍ରଦଂ କାମଦମ୍ ।"
ସାମ ବେଦୀୟ ବିନାୟକ ସଂହିତା, ମୈତ୍ରାଣୀ ସଂହିତା, ଯଜୁର୍ବେଦୀୟ କାଣ୍ଵ ସଂହିତା ପ୍ରଭୃତିରେ ବିଘ୍ନ ବିନାଶନ ଗଣପତିଙ୍କ ଅନେକ ମନ୍ତ୍ର ଉଲ୍ଲିଖିତ । ଉପନିଷଦରେ ଗଣପତିଙ୍କୁ ସର୍ବ ଶକ୍ତିମାନ୍ ରୂପରେ ବର୍ଣ୍ଣନା କରାଯାଇଛି । ମହନୀୟତା ହେଉଛି - ଉପନିଷଦ କାଳରେ ଗାୟତ୍ରୀ ମନ୍ତ୍ରରେ ଗଣପତିଙ୍କୁ ପରଂବ୍ରହ୍ମଙ୍କର ପ୍ରତୀକ ରୂପେ ଚିନ୍ତନ କରାଯାଇଛି ।
ଗଣପତି ଉପନିଷଦରେ ବ୍ରହ୍ମ ଉପାସନାର ତତ୍ତ୍ଵ ପରିଦୃଷ୍ଟ । ନିଗମ ଓ ଆଗମ ଉଭୟ ପରଂପରାରେ ଗଣପତି ଏକ ମହତ୍ତ୍ଵପୂର୍ଣ୍ଣ ଶ୍ରେଷ୍ଠ ଦେବତାର ଆସନ ଅଳଙ୍କୃତ କରି ଆସୁଛନ୍ତି । ବିଶେଷତଃ ସ୍ମୃତି ଶାସ୍ତ୍ରରେ ପ୍ରଭୁ ଗଣପତିଙ୍କୁ ହବିର୍ଭୋକ୍ତା ଯଜ୍ଞ ଦେବତା ରୂପେ ଚିତ୍ରଣ କରାଯାଇ ଗାଣପତ୍ୟାଗ୍ନିର ସଂସ୍କାର ବିଧି ଓ ହୋମ କର୍ଯ୍ୟ ସଂପାଦନ କରାଯାଉଛି ।
ଗଣପତି ଉପାସନାର ଉତ୍ତରଣରେ ଗାଣପତ୍ୟ ସମ୍ପ୍ରଦାୟର ଉନ୍ମେଷ ଘଟିବା ସଙ୍ଗେ ସଙ୍ଗେ ଲେଖକ ମାନଙ୍କ ଦ୍ଵାରା ବିଭିନ୍ନ ସ୍ତବ, ସ୍ତୋତ୍ର, କବଚ, କୀଳକ, ପଟଳ ଓ ପୁରାଣାଦି ମନୋଜ୍ଞ ଭାବେ ବର୍ଣ୍ଣିତ ହୋଇଛି । ସେ ଏକ ଦନ୍ତ, ଚତୁର୍ଭୁଜ, ପାଶ-ଅଙ୍କୁଶ ଅଭୟ ଓ ବରଦ ମୁଦ୍ରାଧାରୀ, ରକ୍ତ ବସ୍ତ୍ରଧାରୀ ରୂପେ ଚିତ୍ରିତ ହୋଇ ଲୋକ ମାନଙ୍କ ଦ୍ଵାରା ପୂଜା ପାଉଛନ୍ତି । ଯଥା:-
"ଓଁ ଏକଦନ୍ତଂ ମହାକାୟଂ ଲମ୍ବୋଦରଂ ଗଜାନନଂ
ବିଘ୍ନ ନାଶକର ଦେବଂ ହେରମ୍ବଂ ପ୍ରଣମାମ୍ୟହମ୍" |
ପୁନଶ୍ଚ ସକଳ ବିଘ୍ନ୍ ହରଣ ନିମିତ୍ତ ଭକ୍ତ ପୂଜକ ମାନେ ସଭକ୍ତି ପ୍ରଣାମ ପୂର୍ବକ ବିଘ୍ନେଶ୍ଵର ମହାପ୍ରଭୁଙ୍କୁ ପ୍ରାଥନା କରନ୍ତି -
"ଓଁ ଲମ୍ବୋଦରଂ ପରମ ସୁନ୍ଦର ମେକ ଦନ୍ତଂ
ରକ୍ତାମ୍ବରଂ ତ୍ରିନୟନଂ ପରମଂ ପବିତମ୍,
ଉଦ୍ୟୋତ୍ ଦିବାକାରୀ କରୋ ଜ୍ଵଳକାନ୍ତି କାନ୍ତଂ
ବିଘ୍ନେଶ୍ଵରଂ ସକଳ ବିଘ୍ଣହରଂ ନମାମି ।"
କାଳ କ୍ରମେ ଶକ୍ତି ଉପାସନା ସହିତ ଗଣପତି ପୂଜାର ମିଳନ ଘଟି ଭାରତର ବିଭିନ୍ନ ସ୍ଥାନରେ ପୀଠ ନିର୍ଣ୍ଣିତ ହୋଇ ମାତୃଗଣଙ୍କ ମଧ୍ୟରେ ଗଣପତି ଆରାଧିତ ହେଲେ । ଦୃଷ୍ଟାନ୍ତ ସ୍ଵରୂପ : ଗଞ୍ଜାମ ଜିଲ୍ଲା, ସାନ ଖେମୁଣ୍ଡି ପଞ୍ଚାୟତ ସମିତି ଅନ୍ତର୍ଗତ କଙ୍କୋରଡାସ୍ଥ ଶକ୍ତିପୀଠ ମା' ନାରାୟଣୀଙ୍କ ମନ୍ଦିରରେ ମା' ନାରାୟଣୀଙ୍କ ସହ ଏକ ଆସନରେ ପୂଜା ପାଆନ୍ତି ବୈଦିକ ଦେବତା ଅଗ୍ରପୂଜ୍ୟ ବିଘ୍ନ ବିନାଶକାରୀ ବିନାୟକ । ସେ ଓଁକାର ରୂପୀ, ଅଖିଳ ଜଗତରେ ସେ ଜୀବ ସ୍ଵରୂପ । ସେ ବକ୍ରତୁଣ୍ଡ ଓ ସର୍ବ କାର୍ଯ୍ୟ ସିଦ୍ଧି ଦାତା ଗଣେଶ ଭାବରେ ଆରାଧିତ । କବିଙ୍କ ଭାଷାରେ :-
"ଓଁ ବକ୍ରତୁଣ୍ଡ ମହାକାୟ ସୂର୍ଯ୍ୟ କୋଟି ସମପ୍ରଭଃ
ନିର୍ବିଘ୍ନଂ କୁରୁମେ ଦେବ! ସର୍ବ କାର୍ଯ୍ୟେ ଷୁ ସର୍ବଦା ।"
ପୁରାଣ ଯୁଗ ପରେ ବୌଦ୍ଧ ମତବାଦରେ ମଧ୍ୟ ଗଣପତି ଶ୍ରେଷ୍ଠ ଦେବତାର ଆସନ ଅଳଙ୍କୃତ କରିଛନ୍ତି । ବୌଦ୍ଧ ମାନେ ଗଣେଶଙ୍କୁ ପ୍ରଛ୍ଛନ୍ନ ବୁଦ୍ଧ ନାମରେ ନାମିତ କରିଛନ୍ତି । ବୌଦ୍ଧ କିମ୍ବଦନ୍ତୀ ଅନୁଯାୟୀ ଭଗବାନ୍ ବୁଦ୍ଧଙ୍କର ଜନନୀ ମାୟାଦେବୀ ଗୌତମଙ୍କ ଜନ୍ମ ପୂର୍ବରୁ ଶ୍ଵେତ ହସ୍ତୀର ସ୍ଵପ୍ନ ଦେଖିଥିଲେ ଏବଂ ସେହି ଶ୍ଵେତ ହସ୍ତୀ ମସ୍ତକ ସହ ଆରୋଧିତ ଗଣେଶ ମୂର୍ତ୍ତିହିଁ ପ୍ରଛ୍ଛନ୍ନ ବୁଦ୍ଧ । ବୌଦ୍ଧ ଭିକ୍ଷୁ ଓ ଶ୍ରମଣ ଗଣ ଦକ୍ଷିଣ ପୂର୍ବ ଏସିଆରେ ଗଣପତି ଉପାସନାର ପ୍ରସାର ଘଟାଇଥିବା କଥା ପୁରାତନ ଗ୍ରନ୍ଥ ଓ ଇତିହାସରେ ଉଲ୍ଲେଖ ଅଛି । ଏତଦ୍ ବ୍ୟତୀତ ଜାପାନ୍ ଓ ଚୀନରେ ଗଣେଶଙ୍କୁ ବିନାୟକ ନାମରେ ଆରାଧନା କରୁଥିବା ବେଳେ ବ୍ରହ୍ମଦେଶରେ ମହାପୀନେ ରୂପେ ଗଣପତି ସୁବିଖ୍ୟାତ । ଶ୍ରୀଲଙ୍କାରେ ସୁବ୍ରମଣ୍ୟମ୍ ମନ୍ଦିରରେ ସଂପ୍ରଦାୟ ନିର୍ବିଶେଷରେ ଲୋକମାନଙ୍କ ଦ୍ଵାରା ଗଣେଶଙ୍କ ପୂଜାର୍ଚ୍ଚନା ଅନୁଷ୍ଠିତ ହୁଏ । ତଦନୁରୂପ ନେପାଳରେ ସିଂହବାହନ ହେରମ୍ବ ଗଣପତି ସର୍ବ ସିଦ୍ଧି ଦାତା ରୂପେ ସୁପ୍ରସିଦ୍ଧ ।
ଗୁପ୍ତ ଯୁଗର ଭାରତୀୟ ଧର୍ମ ଧାରାରେ ଗଣେଶଙ୍କର ପ୍ରାଧାନ୍ୟ ଅନୁଭୂତ ହୋଇ ବହୁ ମନ୍ଦିର ନିର୍ମାଣ ହେବା ସହିତ ଅନେକ ପୁରାଣ ଉପ ପୁରାଣ ରଚିତ ହୋଇଛି । ଉକ୍ତ ସମୟରେ ରଚିତ "ଗଣେଶ ପୁରାଣ"ରେ ପ୍ରଭୁଙ୍କ ଅବତାର ଲୀଳା ଅତି ସୁନ୍ଦର ଭାବେ ବର୍ଣ୍ଣିତ ।
ଗଣେଶ ପୂଜା ସର୍ବଭାରତୀୟ ପୂଜା ଭାବରେ ପ୍ରସିଦ୍ଧି ଲାଭ କରି ଆସିଛି । ବିଶେଷକରି ଉତ୍କଳ ପ୍ରଦେଶରେ ଏହି ପୂଜାର ପରମ୍ପରା ବହୁ ପ୍ରାଚୀନ । ଓଡିଶାର ଭୌମ ଓ ସୋମ ବଂଶୀ ଶାସନ କାଳରେ ଏହି ପର୍ବ ପାଳିତ ହେଉଥିବା ଇତିହାସ, ଗ୍ରନ୍ଥାଦିରୁ ସ୍ଵଷ୍ଟ ଅବଧାରିତ । ମାଟିର ମହାକବି ଶୂଦ୍ର ମୁନି ସାରଳା ଦାସ ସ୍ଵୀୟ ଗ୍ରନ୍ଥ 'ମହାଭାରତ'ର ବନ ପର୍ବ ପ୍ରଥମ ଖଣ୍ଡ (ପୃ-୧୦୦-୧୦୭) ରେ ବ୍ୟାଧିର ମୁକ୍ତି ଦାତା ଭାବରେ ଗଣେଶଙ୍କୁ ଚିତ୍ରିତ କରିଛନ୍ତି । ଏହାର ଏକ ଉପାଖ୍ୟାନରେ ପ୍ରଭୁଙ୍କର ମହିମା ଏ'ପରି ରୂପ ଲାଭ କରିଛି - "ପୁରାଣ ପ୍ରସିଦ୍ଧ ଶିବାନଦୀ କୂଳରେ ବସତି ସ୍ଥାପନ କରିଥିବା ବସୁ ନାମକ କୁମ୍ଭକାର ମାଟିରେ ଅଷ୍ଟଭୂଜ ଗଣେଶ ମୂର୍ତ୍ତି ନିର୍ମାଣ କରି ବିଧି ଅନୁସାରେ ଲଡୁ, ମୁଆଁ, ଗଜା ଆଦି ଭୋଗ ଦେଇ ଭକ୍ତିର ସହ ଗଣପତିଙ୍କୁ ପୂଜାର୍ଚ୍ଚନା କରିବାରୁ ତାଙ୍କ ଅନୁକମ୍ପାରୁ ମାତ୍ର ତିନିଦିନ ମଧ୍ୟରେ ସେ କୁଷ୍ଠ ବ୍ୟାଧିରୁ ମୁକ୍ତି ଲାଭ କଲେ । ଏହି କଥା କ୍ରମେ ପ୍ରଚାରିତ ହେଲା । ସେହି ନଗ୍ରର ଲୋକ ମାନେ ଭକ୍ତିଭରେ ଗଣନାଥଙ୍କର ପୂଜାର୍ଚ୍ଚନା କରି ଦୁରାରୋଗ୍ୟ ବ୍ୟାଧିରୁ ମୁକ୍ତିଲାଭ କଲେ । ଅପୁତ୍ରିକ ମାନେ ପ୍ରଭୁଙ୍କ ପୂଜାରାଧନା କରି ପୁତ୍ର ସନ୍ତାନ ପ୍ରାପ୍ତି ହେଲେ ।"
ତତ୍କାଳୀନ ସମାଜରେ ଗଣପତି ଉପାସନାର ପ୍ରସାର ଘଟି ଏହା ସାର୍ବଜନୀନ ଉପାସନାର ରୂପ ଗ୍ରହଣ କଲା । ସମଗ୍ର ଦେଶର ପୁର ପଲ୍ଲୀ ସହର ନଗ୍ରରେ ଭାଦ୍ରବ ମାସ ଶୁକ୍ଳ ପକ୍ଷ ଚତୁର୍ଥୀ ତିଥିରେ ଜନଗଣଙ୍କ ଦ୍ଵାରା ଗଣେଶ ପୂଜା ମହା ଆନନ୍ଦ ଉଲ୍ଲାସରେ ପାଳିତ ହେଲା । ପ୍ରଭୁ ଗଜାନନ ଗଣେଶ ବିଘ୍ନ ନାଶକ ଓ ଅଗ୍ରପୂଜ୍ୟ ହୋଇଥିବା ହେତୁ ତାଙ୍କ ପୂଜା ପରେ ପରେ ସମସ୍ତ ଦେବ ଦେବୀଙ୍କ ପୂଜା ବ୍ରତ ଆଦି ଭକ୍ତ ସେବକ ମାନଙ୍କ ଦ୍ଵାରା ବିଧି ମୁତାବକ ପାଳିତ ହୁଏ । ଶ୍ରୀ ଗଣେଶ ବିଦ୍ୟା ଦାତା ଓ ସିଦ୍ଧି ଦାତା ରୂପେ ବିଦ୍ୟାର୍ଥୀ ମାନଙ୍କ ଦ୍ଵାରା ପୂଜିତ ହୁଅନ୍ତି । ତେଣୁ ବିଦ୍ୟାଳୟ, ମହା ବିଦ୍ୟାଳୟ ମାନଙ୍କରେ ଛାତ୍ର ଛାତ୍ରୀମାନେ ଆପଣାର ବିଘ୍ନ ବିନାଶ ତଥା ସର୍ବ ମଙ୍ଗଳ ନିମିତ୍ତ ପ୍ରଭୁ ବିଘ୍ନ ବିନାଶକାରୀ ପାର୍ବତୀ ନନ୍ଦନ ଶ୍ରୀ ଗଣେଶଙ୍କୁ ପରମ ଭକ୍ତି ସହକାରେ ପୂଜା କରନ୍ତି । ଯଥା:-
"ଓଁ ନମୋ ଗଣେଶ ବିଘ୍ନେଶ ଗିରିଜା ନନ୍ଦନ ପ୍ରଭୋ
ମମ ବିଘ୍ନ ବିନାଶୟ ଗଣାଧି ପତୟେ ନମଃ ।
* * * * * * *
ଓଁ ସର୍ବ ବିଘ୍ନ ବିନାଶୟ ସର୍ବ ମଙ୍ଗଳ ହେତବେ
ପର୍ବତୀ ପ୍ରିୟ ପୁତ୍ରାୟ ଗଣେଶାୟ ନମୋ ନମଃ ।"
ପ୍ରତ୍ୟେକ ମାଙ୍ଗଳିକ ଓ ଶୁଭ କାର୍ଯ୍ୟର ପ୍ରରମ୍ଭରେ ପୂର୍ଣ୍ଣ କଳସ ସ୍ଥାପନ କରାଯାଇ ଶ୍ରୀ ଗଣେଶଙ୍କର ଆରାଧନା କରାଯାଏ । ଅନେକ ପୀଠ ମନ୍ଦିରରେ ଗଣେଶ ମୁଖ୍ୟ ଦେବତା ଓ ପାର୍ଶ୍ଵ ଦେବତା ରୂପେ ପୂଜା ପାଆନ୍ତି । କେତେକ ମନ୍ଦିରରେ ସ୍ଵତନ୍ତ୍ର ଗଣପତି ପୂଜାର ବିଧି ମଧ୍ୟ ପ୍ରବର୍ତ୍ତିତ । ବିଶ୍ଵ ପ୍ରସିଦ୍ଧ ପ୍ରଭୁ ଜଗନ୍ନାଥ ଜନ୍ମ ବାସରରେ ସ୍ନାନ ଦେବୀରେ ଗଣପତି ରୂପ ଧାରଣ କରନ୍ତି । ସିଦ୍ଧ, ସାଧକ, ବିଜ୍ଞ ଓ ପ୍ରାଜ୍ଞ ବୃନ୍ଦ ସ୍ଵୀୟ ଲେଖନୀ ମାଧ୍ୟମରେ 'ଗଣେଶ ବିଭୂତି', 'ଗଣେଶ ଶତନାମ', 'ସହସ୍ର ନାମ' ପ୍ରଭୃତି ରଚନା କରି ଗଣପତି ପୂଜାର ବ୍ୟାପକ ପ୍ରଚାର ଓ ପ୍ରସାର ଦିଗରେ ସକ୍ଷମ ହୋଇଛନ୍ତି ।
ବୈଦିକ, ପୁରାଣ ଓ ମଧ୍ୟ ଯୁଗରେ ଗଢି ଉଠିଥିବା ଗଣପତି ଉପାସନାର ଧାରା ସ୍ଵାଧିନତା ସଂଗ୍ରାମ ସମୟରେ ଜତୀୟ ଜାଗରଣର ସ୍ରୋତ ରୂପେ ପ୍ରବାହିତ ହୋଇଥିବା ଯୋଗୁଁ ତତ୍କାଳୀନ ଇଂରେଜ ସରକାର କ୍ଷୁବ୍ଧ ହୋଇ ସଭା ସମିତି ଉପରେ ନିଷେଧାଜ୍ଞା ଜାରି କରିଥିଲେ ହେଁ ଏହାକୁ ତୀବ୍ର ବିରୋଧ କରି ଲୋକମାନ୍ୟ ତିଳକ ଗଣେଶ ପୂଜା ମାଧ୍ୟମରେ ଗଣଚେତନା ସୃଷ୍ଟି କରି ଜାତୀୟ ଜାଗରଣ ଆନୟନ ପୂର୍ବକ ଗଣପତି ଉପାସନାକୁ ଉଜ୍ଜୀବିତ କରିଥିଲେ । ସେହି ସମୟରୁ ଏଯାବତ୍ ବିନାୟକ ପୂଜା ହୋଇଯାଇଛି ମହାରାଷ୍ଟ୍ରୀୟ ଜନତାଙ୍କର ଜାତୀୟ ଉତ୍ସବ । ମହାରଷ୍ଟ୍ରରେ ଶ୍ରୀ ଗଣେଶଙ୍କ ପୂଜା ମହା ଆଡମ୍ବରରେ ପାଳିତ ହୁଏ । ମହାରଷ୍ଟ୍ର ରାଜ୍ୟରେ ଅନୁଷ୍ଠିତ ଯାତ୍ରା ମାନଙ୍କ ମଧ୍ୟରେ ଗଣେଶ ପୂଜା ସର୍ବଶ୍ରେଷ୍ଠ ଓ ସର୍ବ ପ୍ରଧାନ ଯାତ୍ରା ଅଟେ ।
ଭକ୍ତି ସହକାରେ ଶ୍ରୀ ଗଣେଶଙ୍କ ପୂଜା ଅର୍ଚ୍ଚନା କଲେ ମାନବର ଆଶା ଆକାଂକ୍ଷା ପ୍ରଭୁଙ୍କ ଦ୍ଵାରା ପୂର୍ଣ୍ଣ ହୁଏ ବୋଲି ଭାରତୀୟ ଜନମାନସରେ ବିଶ୍ଵାସ ରହିଛି । ଭାରତୀୟ ଧର୍ମ ଦର୍ଶନ ଓ ସଂସ୍କୃତି କ୍ଷେତ୍ରରେ ବୈଦିକ ଯୁଗରୁ ଗଣପତି ଉପାସନାର ଉନ୍ମେଷ ଘଟି କାଳକ୍ରମେ ଏହା ବିକାଶ ଲାଭ କରି ସଂପ୍ରତି ଏହା ଏକ ମହାନ୍ ଗଣ ପର୍ବ ରୂପେ ପ୍ରସିଦ୍ଧି ଅର୍ଜ୍ଜନ କରିଅଛି ।
ଏହି ଆଲୋଚନାରୁ ପ୍ରତୀତ ହୁଏ ଯେ, ବିଘ୍ନ ରାଜ ଗଣେଶ ସମଗ୍ର ଭାରତ ବର୍ଷର ଜନତାଙ୍କ ପରମରାଧ୍ୟ ଦେବତା । ସେ ହିଁ ଭକ୍ତ ସେବକ ମାନଙ୍କର ଭାଗ୍ୟ ନିର୍ମାତା ଓ ମୋକ୍ଷଦାତା, ସେ ହିଁ ବିଘ୍ନ ବିନାଶ କାରୀ ଓ କୃପାମୟ ଅଟନ୍ତି । ତାଙ୍କ ଅପାର କରୁଣାରୁ ସମଗ୍ର ଦେଶର ପୂଜକ ଓ ଭକ୍ତ ମାନଙ୍କ ଉତ୍ତରୋତ୍ତର ଅଭିବୃଦ୍ଧି ସାଧନ ହୋଇଛି । ତେଣୁ ଏହି ପରିପ୍ରେକ୍ଷୀରେ ଆମ୍ଭ ମାନବ ଜନ୍ମର ସଫଳତା ଓ ମୋକ୍ଷ ପ୍ରାପ୍ତି ନିମିତ୍ତ ସେହି ଭୂତ ଗଣାଦି ଦ୍ଵାରା ସେବିତ ଉମା ସୁତ ଗଜାନନ ବିଘ୍ନେଶ୍ଵର ଗଣନାଥଙ୍କ ଶ୍ରୀ ପାଦ-ପଙ୍କଜରେ ଶରଣାପନ୍ନ ହୋଇ ଭକ୍ତି ପୂତ ପ୍ରଣାମ ଜଣାଇ ସମର୍ପିତ କରୁଛୁ ବାସ୍ତବ ଶ୍ରଦ୍ଧାଞ୍ଜଳି... ...
"ଓଁ ଗଜାନନଂ ଭୂତ ଗଣାଦି ସେବିତଂ
କପିତ୍ଥ ଜମ୍ବୁଫଳ ଚାରୁ ଭକ୍ଷଣମ୍
ଉମା ସୁତଂ ଶୋକ ବିନାଶ କାରକଂ
ନମାମି ବିଘ୍ନେଶ୍ଵର ପାଦ-ପଙ୍କଜମ୍ ।"
No comments:
Post a Comment