ନମୋ ଖମ୍ବେଶ୍ଵରୀ ବିଶ୍ଵରକ୍ଷାକାରୀ
ମୁଖେ ସିନ୍ଦୁର ମଣ୍ଡନା
ପତିତ ପାବନୀ ଦୁଖଃ ଉଦ୍ଧାରିଣୀ
ବୋଲି ଉଡାଉଛୁ ବାନା ଲୋ ।
ମୋତେ ହୋଇବୁ ସାହା
କୋଳେ ନେବୁ ବଢେଇ ତୋ ବାହାଲୋ || ୧ ||
(ମୋତେ ହୋଇବୁ ସାହା)
ସତ୍ୟ ଯୁଗରେ ତୁ ମହିଷା ମର୍ଦ୍ଦିଲୁ
ଜଗତର ହିତ ପାଇଁ
ଜ୍ୟୋତିର୍ମୟୀ, ମହାଲକ୍ଷ୍ମୀ, ମହାକାଳୀ
ମହା ସରସ୍ଵତୀ ତୁହି ଲୋ ।
(ମାତା) ଧୀରା ତୁ ଅନ୍ନପୂର୍ଣ୍ଣା
କୃପାମୟୀ ପ୍ରସନ୍ନ ବଦନା ଲୋ || ୨ ||
ଦୁର୍ଗତି ହାରିଣୀ, ଆର୍ତ୍ତ ନିବାରିଣୀ
କୈଳାସପୁର ମଣ୍ଡନୀ
ଦଶମହାବିଦ୍ୟା ସ୍ଵରୂପିଣୀ
କାତ୍ୟାୟନୀ ସିଦ୍ଧି, ପ୍ରଦାୟିନୀ ଲୋ ।
ଭୁକ୍ତି, ମୁକ୍ତି ଦାୟିନୀ
ଆଦି ଶକ୍ତି ମା ବିଶ୍ଵଜନନୀ ଲୋ || ୩ ||
ପରମ ବୈଷ୍ଣବୀ, ରୁଦ୍ରାଣୀ, ବ୍ରାହ୍ମଣୀ
ବୋଲିତ ଡାକନ୍ତି ତୋତେ
କେଉଁ ନାଆଁ ଧରି ପଦୁଟି ଡାକିଲେ
ଶୁଣିବୁ କହିଦେ ମୋତେ ଲୋ ।
ମୋତେ ସପନେ କୁହ
ମୁଁତ ତୋର ଏ ଅବୁଝା ପୁଅ ଲୋ || ୪ ||
କେଉଁ କାଳରୁତୁ ଏ ସିଦ୍ଧ ପୀଠରେ
ବସିଛୁ ଆସନ ମାଡି
ଆଳୀୟଖଣ୍ଡାୟତ କୁଳ ଜନନୀ
ବୋଲି ପଡୁଅଛି ରଡି ଲୋ ।
ଧନଞ୍ଜୟ ନ୍ନୃପତି
ମୁଗ୍ଧ ହେଲେ ଦେଖି ତୋର ଶକ୍ତି ଲୋ || ୫ ||
ଖଣ୍ଡାକୁଶଳୀ ଏ ଖଣ୍ଡାୟତଙ୍କର
ଖଣ୍ଡାଧାର ଦେଖି କରି
ସ୍ତମ୍ଭୀଭୂତ ହେଉଥିଲେ ବଲରୀଙ୍କ
ବକ୍ଷ ଯାଉଥିଲା ଥରି ଲୋ ।
ମାଆ ଏକା ତୋ ପାଇଁ
ରଣ ଜିଣି ଆସୁଥିଲେ ଯାଇ ଲୋ || ୬ ||
ପ୍ରସନ୍ନ ଚିତ୍ତରେ ଧନଞ୍ଜୟ ଭଞ୍ଜ
କଲେ ମନ୍ଦିର କଳ୍ପନା
ଗରବ ଗଞ୍ଜନୀ, ବିପଦ ଭଞ୍ଜନୀ
ବୋଲି ଉଡାଉଛୁ ବାନା ଲୋ ।
ଋଷିକୁଲ୍ୟା କୂଳରେ
ବିଜେ କଲୁତ ନୂଆଁ ମନ୍ଦିରେ ଲୋ || ୭ ||
ରାଜମାତା କଉସ୍ତୁଭେଶ୍ଵରୀଙ୍କୁ ତୁ
ରୋଗରୁ ବଞ୍ଚାଇ ଦେଇ
ଇତିହାସ ସାକ୍ଷୀ "ତେର ସିଙ୍ଗି"
"ତମ୍ବାଶାସନ" ପଟାକୁ ନେଇ ଲୋ ।
ଯିଏ ତତେ ଡାକଇ
ରକ୍ଷା କରୁ ତୁ ଘଣ୍ଟ ଘୋଡାଇ ଲୋ || ୮ ||
କାକଟପୁରରେ 'ମଙ୍ଗଳା' ଡାକନ୍ତି
ଝଙ୍କଡେ ମାଆ 'ସାରଳା'
କୋଣାରକେ 'ରାମଚଣ୍ଡୀ' ବୋଲାଇ ତୁ
ଶ୍ରୀକ୍ଷେତ୍ରେ ନାଆଁ 'ବିମଳା' ଲୋ ।
ବାଙ୍କିରେ ତୁ 'ଚର୍ଚ୍ଚିକା'
ବଡମ୍ବାରେ ତୁ 'ଭଟ୍ଟାରିକା' ଲୋ || ୯ ||
ବାଣପୁରରେ ତୋ ନାଆଁ 'ଭଗବତୀ'
ଭୁବନେଶ୍ଵରରେ 'ଗଉରୀ'
କୁଲାଡରେ 'ବାଘଦେଇ' ଡୁମ୍ବୁଳାରେ
ଡାକୁଛନ୍ତି 'ବାଙ୍କେଶ୍ଵରୀ' ଲୋ ।
'କନ୍ଧୁଣୀ' ସୋରଡାରେ
'ତାରିଣୀ' ତୁ ପୁରସ୍ତମପୁରେ ଲୋ || ୧୦ ||
ଖଲ୍ଲିକୋଟରେ ତୋ ନାଆଁ 'ନାରାୟଣୀ'
'ଭୈରବୀ' ମନ୍ରୀଡି ଠାରେ
'ମହୁରୀକାଳୁଆ' ରୂପେ ପୂଜାପାଉ
ବ୍ରହ୍ମପୁର ସହରେ ଲୋ ।
'ଖମ୍ବେଶ୍ଵରୀ' ମଦିରେ
ଉଭା ତୁ ଆସିକା ନଦୀ ତୀରେ ଲୋ || ୧୧ ||
ମନ୍ତ୍ର ନ ଜାଣଇ, ତନ୍ତ୍ର ଆସୁନାଇଁ
ପୂଜାସ୍ତୁତି ଜଣେ ନାହିଁ
ତତେ ଡାକିଲେ ମୋ ଦୁଖଃ ଦୂର ହେବ
ଏତିକି ଜାଣିଛି ମୁହିଁ ଲୋ ।
ଦେବୁ ବୁଝାଇ ମୋତେ
କେଉଁନାମେ ଡାକିବି ମୁଁ ତୋତେ ଲୋ || ୧୨ ||
ବିବାଦେ, ବିଷାଦେ, ପ୍ରଳୟେ, ପ୍ରବାସେ
ତୁ ଏକା ମୋହର ସାହା
ଆସିକାରେ ରହି କାନ ଡେରିଥିବୁ
କରୁଥିବୁ ମୋତେ ଆହା ଲୋ ।
ଯେବେ ଡାକିବି ତତେ
ନିରାଶ ତୁ କରିବୁନି ମୋତେ ଲୋ || ୧୩ ||
ମୋ' ପରି ନାହିଁ କେ ଅଧମ ସନ୍ତାନ
ସୁଃଖ ହାରିଣୀ ତୋ ପରି
ହରିକୃଷ୍ଣକୁ ତୁ ରକ୍ଷା କରିଥିବୁ
ଜଗନ୍ମାତ ଖମ୍ବେଶ୍ଵରୀ ଲୋ ।
ଦେବୁ ମୋତେ ଶକତି
ଖାଲି ଗାଉଥିବି ତୋର ଗୀତି ଲୋ || ୧୪ ||
No comments:
Post a Comment