"ଓଁକାର ରୂପିଣୀ ମାଗୋ ଉମା କାତ୍ୟାୟିନୀ
ଶ୍ରୀଶାରଳା ମଙ୍ଗଳା ମା ତ୍ରିଲୋକ କାରିଣୀ ।
ଶ୍ରୀ ଅପର୍ଣ୍ଣା ଭଗବତୀ ଗୋ ସିଂହ ବାହିନୀ
ମାଆଗୋ ମମତାମୟୀ ପ୍ରସନ୍ନ ବଦନୀ ।
ଶ୍ୟାମଳାୟୀ ଶାରଦା ବୁରୁପଡା ବାସିନୀ
ମହିଷାସୁର ମର୍ଦ୍ଦିନୀ (ମା') ବିପଦହାରିଣୀ ।
ଲାବଣ୍ୟରୂପେ ଶୁମ୍ଭ ନିଶୁମ୍ଭକୁ ନାଶିଲ
ଈନ୍ଦ୍ର ଆଦି ସୁରଙ୍କର ମା' ଯଶ ରଖିଲ ।
ଦେବୀ ଜଗତ ଜନନୀ ଭାରା ନିବାରିଣୀ
ବୀର ଷଡାନନ ଗଜାନନଙ୍କ ଜନନୀ ।
ନମସ୍ତେ ନମସ୍ତେ ମାଗୋ ସଙ୍କଟ ତାରିଣୀ
ମହାମାୟୀ ଆଦିମାତା ଅପ୍ରାଧ ଭଞ୍ଜନୀ ।
ହର ବାମା ହର ଦୁଖଃ ସିଦ୍ଧି ପ୍ରଦାୟିନୀ
ଦଶଭୁଜା ଦକ୍ଷକନ୍ୟା ମାତ ନାରାୟଣୀ ।
କାଳେ କାଳେ ମାତା ତୁମେ ଜଗତ ଜନନୀ
ବୁରୁପଡା ପୀଠେ ଖ୍ୟାତ ଶ୍ୟାମଳାୟୀ ନାମ୍ନୀ ।
ବଳୀଛି ମାନସ ମା' ତବ ନାମ କୀର୍ତ୍ତନେ
ଦିଅ ଦିବ୍ୟ ଜ୍ଞାନ ମାଗୋ ଏହି ଅକିଞ୍ଚନେ ।
ହେଉଛି ବତ୍ସଳା ଦେବୀ ବାଞ୍ଛା ପ୍ରଦାୟିନୀ
ମୋ ଘୋର ଦୁର୍ଗତି ଦୂର କର ଗୋ ଜନନୀ ।
ଅସାର ସଂସାର - ସିନ୍ଧୁ - ବିଷୟ ନଦୀର
ସଙ୍ଗମରେ ବୁଡିଣ ମୁଁ ହେଉଛି ଅସ୍ଥିର ।
ସୁଦୃଢ ନଉକା ରୂପେ ବଢାଅ ପୟର
ଏଭବ ସାଗରୁ ମୋତେ କର ମା ଉଦ୍ଧାର ।
ମାତାଙ୍କ ଚରଣ ଯୁଗ୍ମ ସନ୍ତାନର ପାଇଁ
କ୍ଷୀର ସିନ୍ଧୁ ଜାତ ସ୍ଵାଦୁ ଅମୃତ ଅଟଇ ।
ତେଣୁ ତୁମ ପାଦ-ପଦ୍ମେ କରେ ନମସ୍କାର
ଦେଇ ପଦାମୃତ ଇଛ୍ଛା ମୋର ପୂର୍ଣ୍ଣକର ।
ଶହ ଶହ ଭକ୍ତଙ୍କର ଇଷ୍ଟ ଦେବୀ ହୋଇ
ବିପଦ ଦୂର କର ଅମୃତ ଦୃଷ୍ଟି ଦେଇ ।
ତୁମର ମହିମା ମାତ କହିଲେ ନସରେ
ତୁମ କୃପାବଳେ ପଙ୍ଗୁ ଗିରି ଲଙ୍ଘିପାରେ ।
ବାର ସଙ୍କରାନ୍ତି ସହ ଚଇତ୍ର ମାସର
ପ୍ରତି ମଙ୍ଗଳବାରରେ ଉତ୍ସବ ତୁମର ।
ହଜାର ହଜାର ଭକ୍ତ ପଶନ୍ତି ଶରଣ
ସେମାନଙ୍କ ମାନସିକ କରୁଛ ପୂରଣ ।
ଧୂପ-ଦୀପ ଭୋଗ-ରାଗ ନୈବେଦ୍ୟ କରି
ତବ ଆଶିଷ ଲଭିଣ ଭକ୍ତ ଯାନ୍ତି ଫେରି ।
ଯେ ଯାହା ମାଗଇ ମାତ ତାକୁ ତା'ମିଳଇ
ତୁମ କରୁଣା ମା କେବେ ଅନ୍ୟଥା ନୁହଁଇ ।
ମାଗୋ ଶ୍ୟାମଳାୟୀ ତବ ପାଦ-ପଦ୍ମେ ମୋର
ହୃଦୟରେ ବିକଶିତ ହୋଇ ନିରନ୍ତର ।
ଏତିକି ମିନତି ମାଗୋ ତବ ଶ୍ରୀପୟରେ
ବିତିଯାଉ ଏ ଜୀବନ ମହା ଆନନ୍ଦରେ ।
ବିପଦ କାଳରେ ସାହା ହୁଅ ମହାମାୟୀ
ହରିକୃଷ୍ଣ ଭକ୍ତି ଭରେ ପ୍ରଣାମ କରଇ ।"
No comments:
Post a Comment