ସାହିତ୍ୟରେ ଆଦର୍ଶବାଦ ପ୍ରଚାର କରିବା ଥିଲା ଜାତୀୟ କବି ସାରଳା ଦାସଙ୍କ ଅନ୍ୟତମ ଲକ୍ଷ୍ୟ । ସାମାଜିକ ଆଦର୍ଶବୋଧର ପ୍ରତିଷ୍ଠା ପାଇଁ ସେ ଆପଣାର ବିଶାଳ ଗ୍ରନ୍ଥ ମହାଭାରତର କଥନକ ମଧ୍ୟରେ ଯେଉଁଠେ ଅବକାଶ ପାଇଛନ୍ତି ଏହି ଆଦର୍ଶବୋଧକୁ ବିଭିନ୍ନ ଚରିତ୍ରରାଜିର ମୁଖରେ ପ୍ରଦାନ କରିଯାଇଛନ୍ତି । ସାରଳା ଦାସଙ୍କ ଉଲ୍ଲଖିତ ଆଦର୍ଶ ଥିଲା ସମସାମୟିକ ଉତ୍କଳର ସାମାଜିକ ଆଦର୍ଶ । ଏସବୁ ମୂଳରେ କବିଙ୍କ ଉଦ୍ଦେଶ୍ୟ ଥିଲା ସାଧାରଣ ଲୋକର ଚରିତ୍ର ଗଠନ ଏବଂ ନୈତିକ ଚେତନାର ଜାଗରଣ । କବିଙ୍କ ବିରଚିତ ମହାଭାରତ ତତ୍କାଳୀନ ଉତ୍କଳରେ ପ୍ରଚଳିତ ରାଶି ରାଶି ପ୍ରବାଦ ରୂପକ ସୁରଭିତ ସୁମନର ଏକ ନନ୍ଦନକାନନ । ବସ୍ତୁତଃ ବିଚାର କଲେ ଏସବୁ ପ୍ରବାଦ ଗୁଡିକ ମଧ୍ୟରୁ କେତେକ କବି କଳ୍ପନା ସମ୍ଭୂତ ଆଉ କେତେକ ତତ୍କାଳୀନ ଉତ୍କଳୀୟ ଲୋକ ମୁଖରେ ପ୍ରଚଳିତ କଥା । ଏସବୁ କବିଙ୍କ ପାଣ୍ଡିତ୍ୟ, ବହୁ ଶାସ୍ତ୍ର ଦର୍ଶିତା ତଥା ଦୂର ଦୃଷ୍ଟିର ସୁସମନ୍ଵୟରେ କବି ଲେଖନୀରେ ତାହା ମନୋଜ୍ଞ ଭାବେ ପ୍ରକାଶ ପାଇଛି । କବି ସ୍ଵକୀୟ ଅନୁଭୁତି ସଂଜାତ ବିଚାରବୋଧରୁ ଯେଉଁ ମହନୀୟ ଆଦର୍ଶବଳୀର ପ୍ରଚାର କରିଯାଇଛନ୍ତି ତାହାହିଁ ତାଙ୍କର ଆଦର୍ଶଗତ ଐକାନ୍ତିକତାର ଯଥାର୍ଥ ପରିଚାୟକ । କବିଙ୍କ ଏହି ଆଦର୍ଶବୋଧ କେତେବେଳେ ପ୍ରଚାର ଧର୍ମତାକୁ ଆଶ୍ରୟ କରିଛି ତ' କେତେବେଳେ ବିଭିନ୍ନ ଲୋକ କଥା ଦେଇ ଆତ୍ମ ପ୍ରକାଶ କରିଛି । ନୀତି ବାଣୀ ବା ନୀତି ଉପଦେଶ ସୁସ୍ଥ ସୁନ୍ଦର ଜୀବନଚର୍ଯ୍ୟାର ମହାର୍ଘ ଉପାଦାନ ହେଲେ ସୁଦ୍ଧା ସାହିତ୍ୟିକ ରସାବେଦନ ଦୃଷ୍ଟିରୁ ତାହା ନିରସ ଓ ଶୁଷ୍କ ପ୍ରତୀୟମାନ ହୋଇଥାଏ । ଏଣୁ ଏହି ରସ ଶୂନ୍ୟ ଉପଦେଶାବଳୀକୁ ସରସ ଓ ସ୍ଵାଦିଷ୍ଟ କରିବା ଲକ୍ଷ୍ୟରେ କବି ଲୋକ ପ୍ରଚଳିତ ପ୍ରବାଦ ଗୁଡିକୁ ମାଧ୍ୟମ ରୂପେ ଗ୍ରହଣ କରିଛନ୍ତି । ସ୍ଵକୀୟ ପୁରାଣ ଗର୍ଭିତ ବିଭିନ୍ନ ଉପାଖ୍ୟାନ ତଥା ଚରିତ୍ରାବଳୀର କର୍ମ କୁଶଳତାକୁ ଜନଚିତ୍ତଗ୍ରାହୀ ପ୍ରବାଦ ମାଧ୍ୟମରେ ପ୍ରକାଶ ପୂର୍ବକ ସୁପରିକଳ୍ପିତ ଆଦର୍ଶବୋଧକୁ ପ୍ରଚାର କରିଯାଇଛନ୍ତି । ତନ୍ମଧ୍ୟରୁ କେତିଟି ପ୍ରବଚନର ଦୃଷ୍ଟାନ୍ତ ନିମ୍ନମତେ ଆଲୋଚନା କରାଯାଇପାରେ ।
(କ) ଗଙ୍ଗା ବୋଇଲେ ଥିବି ଗାଙ୍ଗୀ ବୋଇଲେ ଯିବି :-
ଗଙ୍ଗା ଓ ଶାନ୍ତାନୁଙ୍କ ଦାମ୍ପତ୍ୟ ଜୀବନକୁ କେନ୍ଦ୍ର କରି ଏହି ଆପ୍ତ ବାକ୍ୟଟିକୁ କବି ଦାସ ସଂଯୋଜନା କରିଛନ୍ତି । ରାଜା ନିର୍ଘାତଙ୍କ କନ୍ୟା ଗଙ୍ଗା ଭଗବାନ ଶିବଙ୍କୁ ବିବାହ କରିବା ନିମିତ୍ତ ସଙ୍କଳ୍ପବଦ୍ଧ ଥିଲେ କିନ୍ତୁ ଭ୍ରମ ବଶତଃ ଶାନ୍ତାନୁଙ୍କୁ ଶିବ ଭାବି ବିବାହ କଲେ ।
(ଖ) ଧୃତରାଷ୍ଟ୍ରଙ୍କୁ କନ୍ୟା ନାହିଁ କି ଗାନ୍ଧାରୀଙ୍କୁ ବର ନାହିଁ; ବା ଉଆଁସି କନ୍ୟାକୁ ସାହାଡା ବର :-
ଏହି ପ୍ରବଚନଟି ବର୍ତ୍ତମାନ ସୁଦ୍ଧା ଉତ୍କଳୀୟ ଜନଜୀବନରେ ପ୍ରଚଳିତ । ବର ଅଥବା କନ୍ୟାର ବିବାହ ପାଇଁ ବାରମ୍ବାର ପ୍ରସ୍ତାବ ଭାଙ୍ଗି ଯାଉଥିଲେ କିମ୍ବା ବିବାହ ହୋଇ ନପାରିଲେ ଏହି ପ୍ରବଚନଟି ଲୋକ ମୁଖରୁ ଶୁଣାଯାଏ । ଧୃତରାଷ୍ଟ୍ର ଓ ଗାନ୍ଧାରୀଙ୍କ ବିବାହ ପ୍ରସଙ୍ଗରେ କବି ଏହା ଉଲ୍ଲେଖ କରିଛନ୍ତି । ଜ୍ୟୋତିଷ ଗଣନା ଅନୁଯାୟୀ ଧୃତରାଷ୍ଟ୍ରଙ୍କୁ ଜନ୍ମ ସମୟରେ ବ୍ରହ୍ମ ରାକ୍ଷାସ ଦୋଷ ଲାଗିଥିଲା । ଫଳତଃ ତାଙ୍କ ବିବାହ ଯେଉଁ କନ୍ୟାଙ୍କ ସହ ଅନୁଷ୍ଠିତ ହେଉଥିଲା ହସ୍ତଗ୍ରନ୍ଥି ବନ୍ଧନ କାଳରେ ତାର ମୃତ୍ୟୁ ଘଟୁଥିଲା । କବି ସାରଳା ଦାସ ମହାଭାରତର - ଆଦି ପର୍ବ ପ୍ରଥମ ଖଣ୍ଡର ୧୧୮ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ।
(ଗ) ପ୍ରଥମ ଯୁଦ୍ଧରେ ଭୀମ ହାରେ :-
କୌଣସି କାର୍ଯ୍ୟରେ ପ୍ରଥମେ ଅସଫଳ ଏବଂ ପରବର୍ତ୍ତୀ ସମୟରେ ସଫଳତା ଲାଭ କରିବା ହେଉଛି ଏହି ପ୍ରବଚନର ଅନ୍ତର୍ନିହିତ ଅର୍ଥ । ଦ୍ଵିତୀୟ ପାଣ୍ଡବ ଭୀମ ଜନ୍ମରୁ ହିଁ ଶକ୍ତିଶାଳୀ । ଶତଶୃଙ୍ଗ ଗିରି ବକ୍ଷରେ ଶୁଆଇଦେଇ କୁନ୍ତି ସ୍ଵକର୍ମରେ ବ୍ୟସ୍ତ ଥିବାବେଳେ ହଠାତ୍ ଭୀମଙ୍କ ନିଦ୍ରା ଭଙ୍ଗ ହେଲା । ସେ ମାତ କୁନ୍ତିଙ୍କୁ ନିକଟରେ ନପାଇ ଗୋଡବାଡେଇ କାନ୍ଦିବାରେ ଲାଗିଲେ । ଯାହାଫଳରେ ଭୀମଙ୍କ ପଦାଘାତରେ ଶତ ଶୃଙ୍ଗ ଗିରିରୁ ଶୃଙ୍ଗଟିଏ ଭଙ୍ଗି ପଡିଲା । ଏତାଦୃଶ ଆଚାଣରେ କ୍ରୋଧାନ୍ଵିତ ହୋଇ ଶତଶୃଙ୍ଗ ଗିରି ଭୀମଙ୍କୁ ପ୍ରଥମ ଯୁଦ୍ଧରେ ହାରିବା ପାଇଁ ଅଭିଷାପ ପ୍ରଦାନ କଲେ । ସାରଳା ମହାଭାରତ, ଆଦିପର୍ବ, ପ୍ରଥମ ଖଣ୍ଡର ୨୦୫ ପୃଷ୍ଠାରେ ଏହିପରି ପ୍ରକାଶ ପାଇଛି ।
(ଘ) ଝିମିଟି ଖେଳରୁ ମହାଭାରତ :-
କୌଣସି ଏକ ସମସ୍ୟା ସାମାନ୍ୟ ଘଟଣାରୁ ବିରାଟ ଗଣ୍ଡଗୋଳର ସୂତ୍ରପାତ ହେଲେ ଉତ୍କଳୀୟ ଲୋକ ମୁଖରେ ଏହି ପ୍ରବଚନଟି ଶୁଣାଯାଏ । ବାଲ୍ୟାବସ୍ଥାରେ କୌରବ ଏବଂ ପାଣ୍ଡବ ଏକାଠି ବିଦ୍ୟାଶିକ୍ଷା କରୁଥିବା ଅବସରରେ ଝିମିଟି ଖେଳରେ ବ୍ୟାପୃତ ଥିବ ସମୟେ ଭୀମସେନ କୌରବଙ୍କୁ ପରାସ୍ତ କରୁଥିଲେ । ପାଣ୍ଡବମାନଙ୍କ ଠାରୁ ବାରମ୍ବାର ପରାସ୍ତ ହୋଇ ଦୁର୍ଯ୍ୟୋଧନଙ୍କ ସମେତ କୌରବ ଭ୍ରାତାମାନେ ଅପମାନିତ ହୋଇଥିଲେ । ତାଙ୍କ ମନ ମଧ୍ୟରେ ଯେଉଁ ପ୍ରତିହିଂସା ଦାବାନ ସୁପ୍ତ ଅବସ୍ଥାରେ ଥିଲା ପରବର୍ତ୍ତୀ ତାହା ପ୍ରଜ୍ଵଳିତ ହୋଇ ବିରାଟ ମହାଭାରତ ଯୁଦ୍ଧରେ ପରିଣତ ହେଲା । ତେଣୁ କବି ସାରଳାଦାସ ସ୍ଵୀୟ ମହାଭାରତର ଆଦି ପର୍ବ - ପ୍ରଥମ ଖଣ୍ଡର ୪୩୩ ଓ ୪୩୬ ପୃଷ୍ଠାରେ ଉଲ୍ଲେଖ କରିଛନ୍ତି ଯେ ଝିମିଟି ଖେଳରୁ ମହାଭାରତର ସୃଷ୍ଟି ।
(ଙ) ନର ବା ଗୁଞ୍ଜରେ ଅଶ୍ଵତ୍ଥାମା ହତ :-
କୌଣସି ଏକ ମିଥ୍ୟା ବିଷୟକୁ ଚତୁରତାର ସହକାରେ ସତ୍ୟ ଘଟଣା ଭାବରେ ପ୍ରକଶ କରିବା କ୍ଷେତ୍ରରେ ଏହି ପ୍ରବଚନଟି ଉଦ୍ଧାର କରାଯାଇଥାଏ ।
ଦ୍ରୋଣାଚାର୍ଯ୍ୟ କୌରବମାନଙ୍କ ସପକ୍ଷରେ ରହି ପାଣ୍ଡବମାନଙ୍କ ବିପକ୍ଷରେ ଯୁଦ୍ଧ କରୁଥିଲେ । ଦ୍ରୋଣାଚାର୍ଯ୍ୟଙ୍କ ସମର କୌଶଳ ଅବଲୋଚନ କରି ପାଣ୍ଡବ ସଖା ଶ୍ରୀକୃଷ୍ଣ ଚିନ୍ତା କଲେ ପାଣ୍ଡବମାନେ ନିଶ୍ଚୟ ଦ୍ରୋଣଙ୍କ ଦ୍ଵାରା ପରାଜିତ ହେବେ । ଏଣୁ ଦ୍ରୋଣ ପୁତ୍ର ଅଶ୍ଵତ୍ଥାମା ହତ (ମୃତ) ବୋଲି ଶ୍ରୀକୃଷ୍ଣ କପଟରେ ମିଥ୍ୟା ପ୍ରଚାର କରିଥିଲେ । ଏକମାତ୍ର ପୁତ୍ର ଅଶ୍ଵତ୍ଥାମାର ହତ ସମ୍ବାଦ ଶ୍ରବଣ କରି ଦ୍ରୋଣାଚାର୍ଯ୍ୟ ଅତିଶୟ ବିଚଳିତ ହୋଇ ଏହାର ସତ୍ୟାସତ୍ୟ ସମ୍ବନ୍ଧରେ ଯୁଧିଷ୍ଠିରଙ୍କୁ ପଚାରିଥିଲେ, କିନ୍ତୁ ଶ୍ରୀକୃଷ୍ଣଙ୍କ ପ୍ରରୋଚନାରେ ଯୁଧିଷ୍ଠିର ଦ୍ଵନ୍ଦାତ୍ମକ ମନ୍ତବ୍ୟ ପ୍ରଦାନ କରିଥିଲେ । ଏହି ବିଷୟରେ କବି "ଦ୍ରୋଣ ପର୍ବ"ର ୩୯୫ ପୃଷ୍ଠାରେ ନିମ୍ନମତେ ବର୍ଣ୍ଣନା କରିଛନ୍ତି :-
"ଯୁଝେଷ୍ଠିଦେବ ବୋଇଲେ ଶୁଣ ଗୁରୁ ତାତ
ନରକି ଗୁଞ୍ଜର ଯେ ଅଶସ୍ତମା ହତ ।"
(ଚ) କର୍ଣ୍ଣ ମଲେ ପାଞ୍ଚ, ଅର୍ଜୁନ ମଲେ ପାଞ୍ଚ :-
ଲାଭ ଏବଂ କ୍ଷତି ସମାନ ହେଲେ ଅଥବା କୌଣସି ଗୋଟିଏ ଜିନିଷ ହରାଇ ସମଗୁଣ ବିଶିଷ୍ଟ ଅନ୍ୟ ଏକ ପଦାର୍ଥ ପ୍ରାପ୍ତ ହେବା ଏହି ପ୍ରବଚନଟିର ଅନ୍ତର୍ନିହିତ ଅର୍ଥ । କର୍ଣ୍ଣ ଏବଂ ଅର୍ଜୁନଙ୍କୁ କେନ୍ଦ୍ର କରି କବି ସାରଳାଦାସ ଏହି ପ୍ରବଚନଟିର ବ୍ୟବହାର କରିଛନ୍ତି ।
କର୍ଣ୍ଣ ଏବଂ ଅର୍ଜୁନ ଉଭୟେ ସମାସ୍କନ୍ଧ ଯୋଦ୍ଧା । କୁନ୍ତୀଙ୍କ ଗର୍ଭରୁ କୁମାରୀ ଅବସ୍ଥାରେ ସୂର୍ଯ୍ୟଙ୍କ ଔରସରୁ କର୍ଣ୍ଣ ଏବଂ ବିବାହ ପରେ ପଣ୍ଡୁଙ୍କ ନିର୍ଦ୍ଦେଶ କ୍ରମେ ଇନ୍ଦ୍ରଙ୍କ ଔରସରୁ ଅର୍ଜୁନ ଜନ୍ମ ଗ୍ରହଣ କରିଥିଲେ । କିନ୍ତୁ କର୍ଣ୍ଣ ମାତୃ ସ୍ନେହରୁ ବଞ୍ଚିତ ହୋଇ ଘଟଣା ଚକ୍ରରେ କୌରବଙ୍କ ପକ୍ଷ ସମର୍ଥନ କରି ପାଣ୍ଡବ ବିରୁଦ୍ଧରେ ଯୁଦ୍ଧ କରୁଥିଲେ । କର୍ଣ୍ଣକୁ ମିଶାଇଲେ କୁନ୍ତୀ ଛଅ ଗୋଟି ପୁତ୍ରର ଜନନୀ । ଯୁଦ୍ଧରେ ଯଦି କର୍ଣ୍ଣ କିମ୍ବା ଅର୍ଜୁନଙ୍କ ମଧ୍ୟରୁ କେହି ଜଣେ ନିହତ ହୁଏ ତେବେ ଜୀବିତ ରହିବା ପୁତ୍ରଙ୍କ ସଂଖ୍ୟା ପାଞ୍ଚ ହେବ । ସୁତରାଂ ପୂର୍ବ ସଂଖ୍ୟା ଅପରିବର୍ତ୍ତିତ ରହିବ । ଏବଂ ଯେଉଁ ପଞ୍ଚପାଣ୍ଡବକୁ ସେହି ପଞ୍ଚ ପାଣ୍ଡବ ହୋଇ ରହିବେ । କବି ସାରଳାଦାସ ସ୍ଵୀୟ ମହାଭାରତର ଉଦ୍ଯୋଗ ପର୍ବର ୩୭୨ ପୃଷ୍ଠାରେ କୁନ୍ତୀ ଓ କର୍ଣ୍ଣଙ୍କ କଥୋପ କଥନରେ ଏହା ବର୍ଣ୍ଣନା କରିଛନ୍ତି ।
(ଛ) ଭୀମବଳ କୁନ୍ତୀକୁ ଜଣା :-
ପ୍ରତ୍ୟକ୍ଷଦର୍ଶୀର ବିବରଣ ଉପରେ ସର୍ବଦା ନିର୍ଭର ବରିବା ଉଚିତ୍ । ଏହି ଅର୍ଥରେ ପ୍ରବଚନଟି ବ୍ୟବହୃତ । ପୁତ୍ର ଭୀମ ସେନଙ୍କ ଶକ୍ତି ଓ ସାମର୍ଥ୍ୟ ସମ୍ପର୍କରେ ଜନନୀ କୁନ୍ତୀ ଭଲ ଭାବେ ଜାଣନ୍ତି । ପାଣ୍ଡବ ଜନନୀ କୁନ୍ତୀ ପଞ୍ଚପୁତ୍ର ସହ ନଦୀପାର ହେବା ସମୟେ ଅତ୍ୟଧିକ ଓଜନ ବଶତଃ ନଦୀ ମଝିରେ ଡଙ୍ଗା ଟଳୁଛି । ତାହା ଠିକ୍ ଭାବେ ଗତି କରି ପାରୁ ନାହିଁ । ତେଣୁ ନାଉରିଆ ମଙ୍ଗ ସମ୍ଭାଳି ନପାରି କହୁଛି ସମସ୍ତେ ବଞ୍ଚିବାକୁ ହେଲେ ଜଣେ ଜଳକୁ ଡେଇଁବାକୁ ହେବ । ନାଉରିଆଠାରୁ ଏକଥା ଶ୍ରବଣ କରି କୁନ୍ତୀ ଭୀମସେନଙ୍କୁ ଡେଇଁବାକୁ ଆଜ୍ଞା ଦେଲେ । ଭୀମସେନ ନଦୀକୁ ଡେଇଁବା ପରେ ଡଙ୍ଗା ଉଶ୍ଵାସ ହେଲା ସତ କିନ୍ତୁ ଅସହାୟ ହୋଇ ଝାଉଁଳି ପଡିଲେ ବଳକା ପାଣ୍ଡବେ । ପରେ ଭୀମ ନିଜର ଅସାଧାରଣ ଶକ୍ତି ବଳରେ କୁମ୍ଭୀରକୁ ମାରି ସନ୍ତରଣ ପୂର୍ବକ ନଦୀ ପାର ହେଲେ । ଭୀମସେନ ଦ୍ଵାରା ଏହି କର୍ଯ୍ୟ ନିଶ୍ଚୟ ସମ୍ଭବ ହେବ - ଏହି କଥା ମତା କୁନ୍ତୀ ପୂର୍ବରୁ ଜାଣିଥିଲେ । ପୁଅର ବଳ ବା ଗୁଣ ମା' କେବଳ ଜାଣିଥଏ । କବି ସାରଳା ଦାସ ସ୍ଵୀୟ ମହାଭାରତର ଆଦିପର୍ବର ୧୬୨ ଓ ୧୬୩ ପୃଷ୍ଠାରେ ଥିବା 'କୁମ୍ଭୀର ଦୈତ୍ୟ ବଧ' ପ୍ରସଙ୍ଗରେ ଏହା ଉଲ୍ଲେଖ କରିଛନ୍ତି ।
ବସ୍ତୁତଃ ବିଚାର କଲେ ସାରଳା ମହାଭାରତର ବିଭିନ୍ନ ପ୍ରସଙ୍ଗରେ ପ୍ରକାଶିତ ସାମାଜିକ ଆଦର୍ଶବୋଧ ଏ ଦେଶରେ ପାରମ୍ପାରିକ ନୀତିଶାସ୍ତ୍ର, ସ୍ମୃତି ଶାସ୍ତ୍ର ପ୍ରଭୁତି ଦ୍ଵାରା ସୁନିୟନ୍ତ୍ରିତ ଅଟେ । ଭାରତୀୟ ସଂସ୍କାର ଶାସ୍ତ୍ର ଓ ସ୍ମୃତି ଶାସ୍ତ୍ରାଦିର ଆଧରରେ କବି ଲୋକ ମୁଖରେ ତତ୍କାଳୀନ ଆଦର୍ଶାବଳୀର ଯେଉଁ ପ୍ରଚାର କରିଯାଇଛନ୍ତି - ତାହା ତାଙ୍କର ମୌଳିକ ଚିନ୍ତା ଚେତନାର ବଳିଷ୍ଠ ପ୍ରକାଶନ ବୋଲି କୁହାଯାଇ ନପାରେ, ବରଂ ଲୋକାଚାର ଓ ଲୋକ ବିଶ୍ଵାସକୁ ଆଖି ଆଗରେ ରଖି ବ୍ୟକ୍ତ ବିଶେଷର କର୍ତ୍ତବ୍ୟବୋଧ ସମ୍ପର୍କରେ ସେ ଯେଉଁ ନୀତିବାଣୀର ପ୍ରଚାର କରିଯାଇଛନ୍ତି, ତାହାହିଁ ତାଙ୍କର ଆଦର୍ଶଗତ ଲୋକକଥାର ପରିଚୟ ବହନ କରିଛି । ଏ କ୍ଷେତ୍ରରେ କବି ହୁଅନ୍ତି ଜଣେ ସ୍ଵୟଂ ସ୍ଵତନ୍ତ୍ର ସ୍ମୃତିକାର ଏବଂ ସେହି ସୂତ୍ରରେ କବି ସାରଳା ଦାସ ମଧ୍ୟ ତଦୀୟ ସୃଷ୍ଟି ବଳୟର ସ୍ଵୟଂମ୍ଭୁ ରୂପେ ସମ୍ମାନିତ ।
No comments:
Post a Comment