ଧର୍ମ ହେଉଛି ମାନବ ଜାତିର ଜୀବନୀ ଶକ୍ତି ଓ ଆତ୍ମବିକାଶର ସାର୍ବଭୌମ ସାରଥି । ଚକ୍ର ବିହୀନ ରଥ ଯେପରି ଗତିଶୀଳ ହୋଇପାରେନା, ସେହିପରି ଧର୍ମ ଏବଂ ନୀତିର ଅଭାବରେ ଏକ ସୁସ୍ଥ ସୁନ୍ଦର ସମାଜ ଗଠନ ଏକାନ୍ତ ଅସମ୍ଭବ । ଯୁଗ ଯୁଗ ଧରି ଏ' ଦେଶର ମୁନି, ଋଷି, ଧର୍ମ ପ୍ରଚାରକ, ଶିକ୍ଷା-ଗୁରୁଗଣ ସର୍ବଦା ଧର୍ମକୁ ରକ୍ଷା କରି, ଏହାକୁ ଜୀବନ ସହିତ ଏକାତ୍ମ କରି ଧର୍ମ ଦ୍ଵାରା ହିଁ ରକ୍ଷିତ ହୋଇ ଆସିଛନ୍ତି । ହିନ୍ଦୁଧର୍ମ ଧାରାରେ ମୁଖ୍ୟତଃ ପଞ୍ଚୋପାସନା ମଧ୍ୟରେ ଶକ୍ତି ଉପାସନାର ବୈଶିଷ୍ଟ୍ୟ ସର୍ବତୋ ଭାବେ ସ୍ଵୀକୃତ । 'ଶକ୍ୟତେ ଜେତୁ ମନୟା' ଅର୍ଥାତ୍ ଯାହାଦ୍ଵାରା ଜୟ କରିବାର ଶକ୍ତି ଅର୍ଜନ କରାଯାଏ ତାହା ହିଁ ଶକ୍ତି । ବ୍ୟାପକତା, ଲୋକପ୍ରିୟତା ତଥା ଉପଯୋଗିତା ଦୃଷ୍ଟିରୁ ଶକ୍ତି ଉପାସନା ବିଶେଷ ଚର୍ଚ୍ଚିତ । ଶାକ୍ତ ଧର୍ମରେ ଦେବୀ ମାୟାରୂପିଣୀ ମହାଶକ୍ତି ଭାବରେ ପରିଚିତ । ସେ ବିରାଟ ବିଶ୍ଵର ସୃଷ୍ଟିକାରିଣୀ । 'ଦେବୀ ଭାଗବତ'ର ବର୍ଣ୍ଣନାନୁଯାୟୀ ଦକ୍ଷ ଯଜ୍ଞରେ ମହାସତୀଙ୍କ ଅର୍ଦ୍ଧଦଗ୍ଧ ଶରୀରାଂଶ ବିଷ୍ଣୁଙ୍କ ସୁଦର୍ଶନ ଚକ୍ରରେ ବିଖଣ୍ଡିତ ହୋଇ ସମଗ୍ର ଭାରତବର୍ଷର ଯେଉଁ ଯେଉଁ ଭାଗରେ ପତିତ ହୋଇଥିଲା, ତାହା ପରମ୍ପରା କ୍ରମେ ବିଖ୍ୟାତ ଶକ୍ତିପୀଠ ହୋଇଉଠିଥିଲା । ଏହି ବିଷୟ 'ପୀଠ ନିର୍ଣ୍ଣୟ' ଗ୍ରନ୍ଥରୁ ସ୍ପଷ୍ଟ ହୁଏ । ଉତ୍କଳର ବିଭିନ୍ନ ଶାକ୍ତପୀଠ ମାନଙ୍କ ମଧ୍ୟରେ ଶ୍ରୀକ୍ଷେତ୍ରରେ ବିମଳା, ଯାଜପୁରରେ ବିରଜା, କାକଟପୁରରେ ମଙ୍ଗଳା, ସମ୍ବଲପୁରରେ ସମଲାଇ, ବାଣପୁରରେ ଭଗବତୀ, ବଡମ୍ବାରେ ଭଟ୍ଟରିକା, ଭିଷଣ୍ଡପୁରରେ ଉଗ୍ରତାରା, ବାଙ୍କୀରେ ଚର୍ଚ୍ଚିକା, ଝଙ୍କଡରେ ଶାରଳା ଦେବୀ ପ୍ରସିଦ୍ଧି ଲାଭ କଲା ପରି ଗଞ୍ଜାମ ଜିଲ୍ଲାର ବିଭିନ୍ନ ଶାକ୍ତପୀଠ ମାନଙ୍କ ମଧ୍ୟରେ ଆସିକାରେ ଖମ୍ବେଶ୍ଵରୀ, କୁଲାଡରେ ବ୍ୟାଘ୍ରଦେବୀ, ପୁରୁଷୋତ୍ତମପୁର ନିକଟରେ ତାରାତାରିଣୀ, ମନ୍ତ୍ରିଡିରେ ଭୈରବୀ, ଡୁମ୍ବୁଳାରେ ବାଙ୍କେଶ୍ଵରୀ, ବୁରୁପଡାରେ ଶ୍ୟାମଳାୟୀ, ବ୍ରହ୍ମପୁର ନିକଟରେ କାଳୁଆ ଏବଂ କଙ୍କୋରଡାର ଦେବୀ ନାରାୟଣୀ ମଧ୍ୟ ପ୍ରାଧାନ୍ୟ ଲାଭ କରିଛନ୍ତି ।
ବିପୁଳାଚ ପ୍ରକୃତିର ଶ୍ୟାମୟିତ କ୍ରୋଡରେ ପ୍ରତିଷ୍ଠିତ ପୂଣ୍ୟଭୂମି କଙ୍କୋଋଡା ଜଗଜ୍ଜନନୀ ଶକ୍ତି ସ୍ଵରୂପିଣୀ ମା' ନାରାୟଣୀଙ୍କୁ ବକ୍ଷରେ ଧାରଣ କରି ଆଜି ସମଗ୍ର ଗଞ୍ଜାମ ଜିଲ୍ଲାରେ ପ୍ରସିଦ୍ଧ ହୋଇଉଠିଛି । ଇତିହାସର ଅଜ୍ଞାତ ପୃଷ୍ଠାରେ କଙ୍କୋରଡାର ଐତିହ୍ୟ ଅସ୍ପଷ୍ଟ ହୋଇ ରହିଥିଲେ ହେଁ ଏହାର ପାର୍ଶ୍ଵପର୍ତ୍ତୀ କୁକୁଟେଶ୍ଵର ଗଡର କିମ୍ବଦନ୍ତୀ ଜନଶୃତିରେ ଅଦ୍ୟାବଧି ଉଜ୍ଜୀବିତ । କଙ୍କୋରଡାର ପଶ୍ଚିମ ଦିଗରେ କଙ୍କର ବଂଶଜ କୁକୁଟେଶ୍ଵର ରାଜାଙ୍କ ଧ୍ଵଂସପ୍ରାପ୍ତ ଗଡର ଦକ୍ଷିଣ ଦିଗରେ ମା' ନାରାୟଣୀଙ୍କ ମନ୍ଦିର ଅବସ୍ଥିତ । ଦେବୀ ନାରାୟଣୀ ତତ୍କାଳୀନ ରାଜା କୁକୁଟେଶ୍ଵରଙ୍କ ଗଡଦେବୀ ଓ ଇଷ୍ଟଦେବୀ ଅଟନ୍ତି । ଆଜି ସେହି ଗଡର ଚିହ୍ନ ବର୍ଣ୍ଣ ନାହିଁ ସତ, କିନ୍ତୁ ଗଡଦେବୀ ନାରାୟଣୀ ଭକ୍ତଗଣଙ୍କ କଲ୍ୟାଣ ପାଇଁ ଅକ୍ଷୂର୍ଣ୍ଣ ଅବସ୍ଥାରେ ରହି ପରମ୍ପରାନୁକ୍ରମେ ପୂଜା ପାଇ ଆସୁଛନ୍ତି । କବିଙ୍କ ଭାଷାରେ:-
"କଙ୍କୋରଡା ଗାଁଟି, ସାନଖେମୁଣ୍ଡି ବ୍ଳକ୍ ମଧ୍ୟେ ପ୍ରସିଦ୍ଧି ତା'ର ନାଁଟି।
ଶେରଗଡର ପୂରୁବେ ଉଭା କେଦାର କ୍ଷେତେ ପାଉଛି ଶୋଭା
ପଥିକ ଜନମନକୁ ଲୋଭା ଦୁଃଖୀଜନଙ୍କ ସାହାଟି ।
ଗାଁ ପଶ୍ଚିମ ଦେଗରେ ଏ ଯେ ନାରାୟଣୀଙ୍କ ମନ୍ଦିର ସାଜେ
ଠାକୁରାଣୀ ମା' କରନ୍ତି ବିଜେ ସାଧକ ତହିଁ ଥାଆନ୍ତି ।"
ବାଣାୟତ ଓଡିଆ ସମାଜର ଇଷ୍ଟଦେବୀ ତଥା ଆରାଧ୍ୟଦେବୀ ହେଉଛନ୍ତି ମା' ନାରାୟଣୀ । କେଉଁ ଅନାଦି କାଳରୁ ତା'ଙ୍କ ଆବିର୍ଭାବ ତାହା ସହଜରେ କହି ହେବ ନାହିଁ । କଙ୍କୋରଡା ଓ ତା'ର ଚତୁଃପାର୍ଶ୍ଵରେ ଥିବା ଗ୍ରାମବାସୀମାନେ ସେମାନଙ୍କ କଲ୍ୟାଣ ନିମିତ୍ତ ମା' ନାରାୟଣୀଙ୍କ ନିକଟରେ ପୂଜା ଆରାଧନା କରନ୍ତି । ବିବାହ ବ୍ରତ ଅନୁଷ୍ଠାନ ପୂର୍ବରୁ ଦିଅଁ ମଙ୍ଗୁଳା କାର୍ଯ୍ୟଟି ମା'ଙ୍କ ନିକଟରେ ସମ୍ପନ୍ନ ହୁଏ । ମା' ଆଦି ଜନନୀ ଭାବେ ପୂଜିତା । ଲୋକମାନଙ୍କର ସକଳ ସୁକୃତି ଓ ଦୁଷ୍କୃତିର ମୂଳପିଣ୍ଡ ହେଉଛନ୍ତି ଶକ୍ତିମୟୀ ନାରାୟଣୀ । ତେଣୁ ଆସୁରିକ ପ୍ରବୃତ୍ତିର ବିନାଶ ପାଇଁ ଦେବୀଙ୍କର ଆରାଧନା କରାଯାଏ ।
ମା' ନାରାୟଣୀଙ୍କ ଅଲୌକିକ ମହିମା ସମ୍ପର୍କରେ ଏକ କିମ୍ବଦନ୍ତୀ ଥିବା ପୂଜକମାନଙ୍କ ଠାରୁ ଶୁଣାଯାଏ । ପୂର୍ବେ ଦେବୀ ନାରାୟଣୀଙ୍କ ଦର୍ଶନ ପାଇଁ ମନ୍ଦିରକୁ ଯିବା ନିମିତ୍ତ ଜନସାଧାରଣ ଏପରିକି ପୂଜକ ଓ ଭକ୍ତଗଣ ମଧ୍ୟ ଭୟ କରୁଥିଲେ । କାରଣ ଏହି ମନ୍ଦିରଟି ଗାଁ ଶେଷରେ ଥିବା ଯୋଗୁଁ ଏହାର ଚାରି ଦିଗରେ ସୃଷ୍ଟି ହୋଇଥିଲା ସବୁ ଜାତିର ଶ୍ମଶାନ ଭୁଇଁ, ଭୟ ଓ ଆଜକ ତଥା ଭକ୍ତଗଣ ମନ୍ଦିରାଭିମୂଖୀ ହେବା ପାଇଁ ଭୟ କରୁଥିଲେ । କିନ୍ତୁ କଙ୍କୋରଡା ଗ୍ରାମନିବାସୀ ସ୍ଵର୍ଗୀୟ ଅର୍ଜ୍ଜୁନ ରଣାଙ୍କ ପିତା ମଣିରଣା ବହୁ ଦୂରରୁ ମା' ମା' ବୋଲି ଉଚ୍ଚ ସ୍ଵରରେ ଡାକି ଡାକି ମନ୍ଦିର ଆଡକୁ ଯାଉଥିବା ବେଳେ ମନ୍ଦିରର ଅନ୍ତଃପ୍ରଦେଶରୁ ଭାସି ଆସୁଥିଲା ମା' ନାରୟଣୀଙ୍କ ମନ୍ଦ୍ର କଣ୍ଠ ସ୍ଵରର ଆଵ୍ଵାଜ- "ରେ ମୋର ପ୍ରିୟ ପୂଜକ ! ଭୟ କରନା । ମୁଁ ଏଠାରେ ଅଛି । ତୁ ଧୌର୍ଯ୍ୟ ସହକାରେ ଆସେ ।" ଏପରି ମା'ଙ୍କର ଅଭୟ ବାଣୀ ଥିଲା ଭକ୍ତ ପୂଜକଙ୍କ ପାଇଁ । ତା'ପରେ ଭକ୍ତ ପୂଜକ ଯାଉଥିଲେ ମନ୍ଦିରକୁ ପୂଜାର୍ଚ୍ଚନା ପାଇଁ । ମା' ନାରାୟଣୀଙ୍କୁ ଏକ ଉଦୁଉଦିଆ ଖରାବେଳ ସମୟରେ ପୋଖରୀ ହିଡରେ ଜନୈକ କାଚରା ଦୁଇମୁଠା ନାଲିରଙ୍ଗର ବଉଳ ଟୋପା ପଡିଥିବା ନାଲିକାଚ ପିନ୍ଧାଇ ଥିବା ଏକ ଅଲୌକିକ କିମ୍ବଦନ୍ତୀ ମଧ୍ୟ ରହିଛି । ସେହି ଅଲୌକିକ ଘଟଣା ପରେ ପରେ ପରମ୍ପରାନୁକ୍ରମେ ପରିପାଳିତ ହୋଇ ଆସୁଥିବା ବିଭିନ୍ନ ପର୍ବପର୍ବାଣୀ ତଥା ପୂଜା ଉତ୍ସବରେ ମା'ଙ୍କ ବିଗ୍ରହରେ ନାଲିକାଚ ପିନ୍ଧାଯାଏ । ଶକ୍ତିର ଲୀଳାଖେଳା କେତେ ଅଦ୍ଭୁତ । ଦୃଶ୍ୟ ରୂପରେ ତ' ଏହା ବୁଝି ହୁଏ ନାହିଁ । ସତତ୍ ଏହାର ଅନୁଭୂତି ଅତୀବ ବିଚିତ୍ର । ଏହି ମନ୍ଦିରରେ କେବଳ ଯେ ଏକାକୀ ମା' ନାରାୟଣୀ ପୂଜା ପାଆନ୍ତି ତା' ନୁହେଁ, ତା'ଙ୍କ ସହିତ ଏକ ଆସନରେ ପୂଜା ପାଆନ୍ତି ବୈଦିକ ଦେବତା ଅଗ୍ରପୂଜ୍ୟ ଭଗବାନ ଗଣେଶ । ସେ ଓଁକାର ରୂପୀ, ଅଖିଳ ଜଗତର ସେ ଜୀବ ସ୍ଵରୂପ । ସେ ସିଦ୍ଧିଦାତା ଗଣେଶ ଭାବେ ଆରାଧିତ । ଶ୍ରୀକ୍ଷେତ୍ରରେ ପ୍ରଭୁ ଜଗନ୍ନାଥ, ଅଗ୍ରଜ ବଳଭଦ୍ର ଓ ଭଗ୍ନୀ ସୁଭଦ୍ରାଙ୍କୁ ନେଇ ଏବଂ ଓଡଗାଁରେ ଶ୍ରୀରଘୁନାଥଙ୍କ ପୀଠରେ ଶ୍ରୀରାମ, ସାନୁଜ ଲକ୍ଷ୍ମଣ ଓ ପତ୍ନୀ ସୀତାଙ୍କୁ ସଙ୍ଗରେ ନେଇ ଯେପରି ଭକ୍ତ ମାନଙ୍କ ଦ୍ଵାର ପୂଜା ପାଇ ଆସୁଛନ୍ତି, ସେହିପରି ଏହି ପବିତ୍ର ପୀଠରେ ମଧ୍ୟ ମା' ନାରାୟଣୀ ଓ ପୁତ୍ର ବିଘ୍ନରାଜ ଗଣେଶ ଭକ୍ତ ପୂଜକମାନଙ୍କ ଦ୍ଵାରା ପୂଜାପାଇ ମନ୍ଦିରର ମହିମା ମଣ୍ଡିତ କରିଛନ୍ତି । ମା' ନାରାୟଣୀଙ୍କ ଉପାସନାରେ ତନ୍ତ୍ରର ପୂଜା ଏବଂ ଅଗ୍ରପୂଜ୍ୟ ଗଣେଶଙ୍କ ଉପାସନାରେ ବେଦର ମାଧ୍ୟମ ଯଜ୍ଞ ରୂପକ ହୋମର ବ୍ୟବସ୍ଥା ରହିଛି । ଏହି ଦୁଇ ପ୍ରକାର ପ୍ରଣାଳୀ ଏହି ପବିତ୍ର ପୀଠରେ ଦେଖିବାକୁ ମିଳେ । ପୂର୍ବେ ନାରାୟଣୀଙ୍କ ପୀଠରେ ଷୋଡଶ ଉପଚାରରେ ବଳି ପ୍ରଥା ଥିଲା । ତାହା ବର୍ତ୍ତମାନ ବନ୍ଦ ହୋଇଯାଇଥିଲେ ମଧ୍ୟ ତନ୍ତ୍ର ମତରେ ଦେବୀ ଆରଧିତା ଏବଂ ବାମାଚାର ମତରେ ସେ ପୂଜିତା । ଏକଦା ଏହି ସ୍ଥାନ ଏକ ତନ୍ତ୍ରମନ୍ତ୍ର ଓ ସାଧନାର ପୀଠ ଥିଲା । ଦେବୀ ନାରାୟଣୀ ମଧ୍ୟ ଏକ ପ୍ରସିଦ୍ଧ ତନ୍ତ୍ର ଦେବୀ ଥିଲେ ।
ମନ୍ଦିର ନିର୍ମାଣ ସମ୍ବନ୍ଧେ କିମ୍ବଦନ୍ତୀମୂଳକ ଓ ଐତିହାସିକ ନାନାବିଧ କାହାଣୀ ପ୍ରଚଳିତ ରହିଛି । କାଳକ୍ରମେ ଏହି ମନ୍ଦିରର ପରିଚାଳନା ବାଣାୟତ ଓଡିଆ ସମାଜ ହସ୍ତକୁ ଆସିଲା । ସେମନେ ଶିଳ୍ପଶାସ୍ତ୍ର ବିଶାରଦ ବିନ୍ଧାଣୀମନଙ୍କ ଦ୍ଵାରା ଏହି ମନ୍ଦିର ନିର୍ମଣ କଲେ ୧୯୩୦ ମସିହରେ । ସ୍ଥାପତ୍ୟ ଓ କଳା ଦୃଷ୍ଟିରୁ ମା' ନାରାୟଣୀଙ୍କ ମନ୍ଦିରଟି ତିନିଗୋଟି ବଖରା । ଅର୍ଥାତ୍ ବିଜୟ ବଖରା, ଭୋଗ ବଖରା ଓ ମୋହନ (ଦର୍ଶନ) ବଖରାରେ ପରିପୁର୍ଣ । ଏହାର ଉଚ୍ଚତା ପ୍ରାୟ ୬୦ ଫୁଟ । ବିଜୟ ବଖରାରେ ଏକ ଆସନରେ ବିଜେ କରିଥିବା ମା' ନାରାୟଣୀ ଓ ମହାବିନାୟକଙ୍କ ବିଗ୍ରହ କଳାମୁଗୁନି ଶିଳାଖଣ୍ଡରେ ନିର୍ମିତ । ମହାମାୟୀ ଦେବୀ ନାରାୟଣୀଙ୍କ ମସ୍ତକରେ କିରିଟ ଉନ୍ନତ, ନାଶିକାରେ ଖଞ୍ଜା ଯାଇଥିବା ନଥ, ଗୁଣା ଓ ଦଣ୍ଡ ଅତ୍ୟନ୍ତ ଶୋଭା ପଉଛି । ମା' ନାରୟଣୀଙ୍କ ବାମ ପାର୍ଶ୍ଵରେ ଶ୍ରୀ ବିନାୟକ ମହାପ୍ରଭୁ ବିଜେ କରିଛନ୍ତି । ଏହି ମୂର୍ତ୍ତିର ନିର୍ମାଣ କଳା ସୌଷ୍ଠବାନ୍ଵିତ ଅଟେ । ମନ୍ଦିରର ପ୍ରଥମ ଦ୍ଵାରରେ ପରିଶୋଭିତ ନବଗ୍ରହ ମୂର୍ତ୍ତି । ବିଭିନ୍ନ ବଖରାର ଦ୍ଵାରଦେଶର ଦୁଇ ପାର୍ଶ୍ଵରେ ଦ୍ଵାରପାଳିକାମାନେ ନିଜ ନିଜର ଆୟୁଧ ଧାରଣ ପୂର୍ବକ ବିରାଜମାନ କରିଛନ୍ତି । ମନ୍ଦିର ସମ୍ମୁଖରେ ଶୋଭାବର୍ଦ୍ଧନ କରୁଛି ଚିତ୍ର ବିଚିତ୍ରର ବିଶାଳ ସଭାମଣ୍ଡପ । ଏହାର ଉର୍ଦ୍ଧ୍ଵ ଭାଗରେ ବିରାଜମାନ କରିଛନ୍ତି ଦକ୍ଷିଣେଶ୍ଵରୀ, ଉତ୍ତରଦେବୀ ଓ ଗାୟତ୍ରୀଦେବୀ ଆଦି ଦଶ ମହାବିଦ୍ୟାର ଦେବୀଗଣ । କବିଙ୍କ ଭାଷାରେ:-
"ତ୍ରିଦ୍ଵାରେ ବିଶିଷ୍ଟ ଚିତ୍ରିତ ମଣ୍ଡପ | ବିରାଜେ ଦୂରରୁ ହୋଇ ଦପ ଦପ ।
ଦ୍ଵାରସ୍ଥେ କପୋଳେ ନବଗ୍ରହ ଶିରୀ | ଦୂରୁ ଦେଖାଯାଏ ଚିତ୍ରିତ ମକରୀ ।
ସମ୍ମୁଖେ ବିରାଜେ ବିଶାଳ ମଣ୍ଡପ | ଶୟନେ ବ୍ୟସନେ କିବା ତୁଳୀ ତଳ୍ପ ।
ଗ୍ରାମବାସୀ ଗ୍ରୀଷ୍ମ ନିବାସ ସୁନ୍ଦର | ଶାନ୍ତ ଶୀତଳର ଅଟେ ଗନ୍ତାଘର ।
ହସ୍ତିଶୁଣ୍ଢ ଟେକା ଛାତ ଚନ୍ଦ୍ରାତପ | ସୀମନ୍ତ କୁଣ୍ଡଳ କମେସୁ ସ୍ଵରୂପ ।"
ମା' ନାରାୟଣୀ ମନ୍ଦିରରେ ଖୋଦିତ ସୁକ୍ଷ୍ମ କାରୁକାର୍ଯ୍ୟର କମନୀୟତା ଅବଲୋକନ କଲେ ଦର୍ଶକ ହୃଦୟରେ ଯୁଗପତ୍ ପୁଲକ ଓ ବିସ୍ମୟର ପରିସଞ୍ଚାର ଘଟେ । ନାନା ଦେବ ଦେବୀ, ଯକ୍ଷ, ନାଗ, ନାଗୀ, ସିଦ୍ଧ ବିଦ୍ୟାଧର ଯୋଗିନୀ ଆଦି ପାର୍ଶ୍ଵ ଦେବଦେବୀଙ୍କ ନିର୍ମାଣ କଳା ବାସ୍ତବିକ୍ ହୃଦୟଗ୍ରାହୀ ଓ ମନୋରମ । ଦେବୀଙ୍କ ମନ୍ଦିର ସଭାମଣ୍ଡପ ସମ୍ମୁଖରେ ଦୁଇଗୋଟି ସିଂହ ଦଣ୍ଡାୟମାନ ହୋଇ ଭକ୍ତ ବୃନ୍ଦଙ୍କୁ ସ୍ଵାଗତ ଜଣାଇ ମନ୍ଦିର ସୌନ୍ଦର୍ଯ୍ୟକୁ ଅଧିକ ଆକର୍ଷଣୀୟ କରୁଛନ୍ତି । କବିଙ୍କ ଭାଷାରେ:-
"ସିଂହ ଦ୍ଵୟ ଦେବୀ ଦୁର୍ଗେ ବିଦ୍ୟମାନ | ଦୂରୁ ଦିଶନ୍ତିକି ତୁଙ୍ଗ ସାନୁମାନ ।
ଝାମ୍ପ ଠାଣି ଠିଆ କେଶରୀ କେସରି | ବିନା ଦେଶେ ପ୍ରବେଶରେ କେହି ସରି ।"
ସିଂହ ଦ୍ଵାର ପରେ ଶୋଭା ବର୍ଦ୍ଧନ କରୁଛି କ୍ଷୁଦ୍ର ସରୋବର । ତା' ନିକଟରେ ବିରାଜମାନ କରିଛନ୍ତି ଦେବୀ ବୃନ୍ଦାବତୀ । ସରୋବରର ଜଳରାଶି ସ୍ପଟିକ୍ ସଦୃଶ୍ୟ । ତା' ମଧ୍ୟରେ ବିକଶିତ ନୀଳ ନୀଲୋତ୍ପଳ । କବିଙ୍କ ଭାଷାରେ:-
"ସିଂହ ଦ୍ଵାର ପରେ କ୍ଷୁଦ୍ର ପୁଷ୍କରିଣୀ | ଦଳ ପରିପୁର୍ଣ୍ଣ ନୀଳ ନୀରବର୍ଣ୍ଣି ।
ଧୌତକରେ ଦେବୀ ବିଦ୍ୟ ପଦ ମାନ | ଦେବୀ ନାରାୟଣୀ ଶ୍ରୀ ପଦ୍ମଚରଣ ।"
**************************************
"ଦେବୀ ପଖାଳନ୍ତି ଘନ କୁନ୍ତଳକୁ | ଉପଭୋଗ ହୁଏ ପୂଜା-ମହାର୍ଘକୁ ।"
ମା'ଙ୍କ ମନ୍ଦିରର ଦକ୍ଷିଣ ପାର୍ଶ୍ଵରେ ରହିଛି ଅଷ୍ଟାଙ୍ଗ ଯୋଗ ସାଧନ କରି ସିଦ୍ଧି ଲାଭ କରିଥିବା ହରିବୋଲ ବାବାଜୀଙ୍କ ଆଶ୍ରମ । ଉତ୍ତର ପାର୍ଶ୍ଵରେ ରହିଛି ରୋଶେଇଶାଳ ଓ ଭଣ୍ଡାର ଶାଳ । ଐଶାନ୍ୟ କୋଣରେ ଅବସ୍ଥିତ ସ୍ନିଗ୍ଧ ଜଳରାଶିରେ ପରିପୂର୍ଣ୍ଣ ପଦ୍ମତୋଳା ନାମ୍ନୀ ବିରାଟ ପୁଷ୍କରିଣୀ । ମନ୍ଦିରର ଉତ୍ତର ପାର୍ଶ୍ଵର ଅନତି ଦୂରରେ ଦଣ୍ଡାୟମାନ ବିଜ୍ଞାନ ମହାବିଦ୍ୟାଳୟ । ଯେକି ଗ୍ରାମୀଣ ପରିବେଶ ଓ ପରିବେଷ୍ଟିନୀ ମଧ୍ୟେ ରହି ଅଞ୍ଚଳର ଅଗଣିତ ଯୁବ ଚେତନାରେ ସୃଷ୍ଟିକରେ ପ୍ରଜ୍ଞାଜ୍ୟୋତିର ପ୍ରଜ୍ଵଳନ ଓ ବଓଦ୍ଧିକତାର ଉତ୍ତୋଳନ ।
ସାଂସ୍କୃତିକ ତଥା ସାମାଜିକ ଜୀବନ ସହିତ ପର୍ବପର୍ବାଣୀଗୁଡିକର ନିବିଡ ସମ୍ପର୍କ ରହିଛି । ଏହି ପର୍ବପର୍ବାଣୀ ପଲ୍ଲୀ ଜନତାର ପ୍ରାଣରେ ଅମୀୟ ମଧୁର ବାଣୀ ସୃଷ୍ଟିକରେ । ଜାତି, ବର୍ଣ୍ଣ, ଧନୀ, ଦରିଦ୍ର ନିର୍ବିଶେଷରେ ସମସ୍ତେ ବିଭିନ୍ନ ପର୍ବକୁ ମହାଆନନ୍ଦରେ ପାଳନ କରନ୍ତି । ଓଡିଶାରେ ମୁଖ୍ୟତଃ ବାରମାସରେ ତେର ପର୍ବ ପାଳିତ ହେଲାଭଳି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁରରେ ଠାକୁରାଣୀ ଯାତ୍ରା, ପୁରୁଷୋତ୍ତମ ପୁରରେ ତାରାତାରିଣୀ ଯାତ୍ରା ଏବଂ କଙ୍କୋରଡାରେ ମା' ନାରାୟଣୀଙ୍କ ପୀଠରେ ଆଡମ୍ବର ସହକାରେ ଅନୁଷ୍ଠିତ ହୁଏ 'ଷୋଳ ପୂଜା ଓ ବାଘ ନଛାପର୍ବ' । ନାରାୟଣୀଙ୍କ ପୀଠରେ ଏହି ଉତ୍ସବ ଆଶ୍ଵିନ କୃଷ୍ଣ ଅଷ୍ଟମୀ ଠାରୁ ଶୁକ୍ଳ ନବମୀ ପର୍ଯ୍ୟନ୍ତ ଷୋହଳଦିନ ବ୍ୟାପୀ ଅନୁଷ୍ଠିତ ହୁଏ । ପ୍ରଚଳିତ ବହୁ ଓଷା ବ୍ରତ ମଧ୍ୟରେ ଚୈତ୍ର ମଙ୍ଗଳ ଓଷା ଓ ନିଶା ମଙ୍ଗଳବାର ଓଷା ପ୍ରଭୃତି ଦେବୀ ଉପାସନାର ଉଜ୍ଵଳ ସ୍ଵାକ୍ଷର ବହନ କରେ । ଫାଲଗୁନ ଓ ଚୈତ୍ର ମାସରେ ଅନୁଷ୍ଠିତ ଏହି ପ୍ରସିଦ୍ଧ ମଙ୍ଗଳବାର ଯାତ୍ରାରେ ଗଞ୍ଜାମ ଜିଲ୍ଲା ତଥା ଓଡିଶା ଓ ଆନ୍ଧ୍ରପ୍ରଦେଶର ନାନା ସ୍ଥାନରୁ ବହୁ ଭକ୍ତ ଏଠାକୁ ଆସିଥାନ୍ତି । ବହୁ ଲୋକଙ୍କ ସମାଗମରେ ମନ୍ଦିର ପରିସର ଉଛ୍ଛୁଳି ଉଠେ । କବିଙ୍କ ଭାଷାରେ:-
"ବାସନ୍ତୀ ପୂଜାରେ ଗହଳ ଚହଳ | ମୁଖରିତ ହୁଏ ଏହି ପୀଠସ୍ଥଳ ।
ଷୋଢଶପଚାରେ ଦେବୀ ପୂଜା ବିଧି | ସମାପନ ହୁଏ ଏଠି ଅଦ୍ୟାବଧି ।"
ଏହି ପବିତ୍ର ପୀଠରେ ବିଭିନ୍ନ ଶରଣିକ, ମାନସିକ, ଶିଶୁମାନଙ୍କର ବାଳ କଡା ବା ମୁଣ୍ଡନ ଉତ୍ସବ ପରିପାଳିତ ହୁଏ । ଦୂରଦୂରାନ୍ତରୁ ଭକ୍ତ ମାନେ ଶଗଡ, ବଳଦ ଗାଡି ଓ ବିଭିନ୍ନ ଯାନବାହାନରେ ଏଠାକୁ ଆସି ମନ୍ଦିର ନିକଟରେ ରନ୍ଧା ବଢା କରି, ଦେବୀଙ୍କୁ ଭୋଗ ଲଗାଇ, ଭୋଜିଭାତ ଖାଇ ମହାଆନନ୍ଦରେ ନିଜ ନିଜର ଗୃହକୁ ପ୍ରତ୍ୟାବର୍ତ୍ତନ କରନ୍ତି । ବିଶେଷ କରି ମକର ସଂକ୍ରାନ୍ତିରେ ବିରାଟ ଜନ ସମାଗମ ହୁଏ । ମା'ଙ୍କ ନିକଟରେ ପ୍ରତିଦିନ ଦୁଇ ବେଳା ଅନ୍ନ ଭୋଗ ଏବଂ ନଡିଆ, କଦଳୀ ଓ ମିଷ୍ଟାନ୍ନ ଆଦି ଶୁଖିଲା ଭୋଗ ମଧ୍ୟ କରାଯାଏ । ରିଷ୍ଟ ଖଣ୍ଡନ ପାଇଁ ଏହି ପୀଠରେ ହୋମ, କର୍ମାଦି ପୂଜାବିଧି ମାନ କରନ୍ତି । ମା'ଙ୍କୁ ସ୍ମରଣ କରି ଗୃହରୁ ବାହାରି ଯେଉଁ କାର୍ଯ୍ୟରେ ଗଲେ ସର୍ବସିଦ୍ଧ ହୁଏ ବୋଲି ଭକ୍ତ ମାନଙ୍କର ପ୍ରଗାଢ ବିଶ୍ଵାସ ରହିଛି । ସେହିପରି ଭାଦ୍ରବ ମାସର ପବିତ୍ର ଶୁକ୍ଳ ଚତୁର୍ଥୀ ତିଥିରେ ସିଦ୍ଧି, ବୁଦ୍ଧି, ଜ୍ଞାନ ତଥା ବିଦ୍ୟାଦାତା ଗଣପତିଙ୍କ ପୂଜା ମଧ୍ୟ ଏହି ପୀଠରେ ଅନୁଷ୍ଠିତ ହୁଏ ।
ମହାଭାରତୀୟ ପରମ୍ପରାରେ ସକଳ ଦୁର୍ଗତିର ବିନାସ କରି ସନାତନୀ ଆତ୍ମାର ବିକାଶ ପାଇଁ ଯୁଗ ଯୁଗ ଧରି କବି ଭକ୍ତ ସନ୍ୟାସୀ ଠାରୁ ଆରମ୍ଭ କରି ଜନପଦବାସୀ ପର୍ଯ୍ୟନ୍ତ ସମସ୍ତେ ଶକ୍ତିର ଆରାଧନା କରିଆସିଛନ୍ତି । ଭକ୍ତଗଣ ଦୁଃଖ ନିବାରଣ ପାଇଁ ନିବେଦନ କରି କହନ୍ତି,- "ମାତଃ ନାରାୟଣୀ ! ଅନ୍ତସ୍ଥ ରୀପୁମାନଙ୍କୁ ସଂହାର କରି ବାହାରର ବାଧାବିଘ୍ନ ମାନଙ୍କୁ ନିର୍ମୂଳ କର ।" ଭକ୍ତଙ୍କ ପାଇଁ ମା' ନାରାୟଣୀ ହେଉଛନ୍ତି ଶକ୍ତି ସ୍ଵରୂପିଣୀ । ମା'ଙ୍କ ପ୍ରେରଣା ଓ ଆଶିର୍ବାଦ ଲାଭକରି ଭକ୍ତଗଣ ଜୀବନରେ ସାଫଲ୍ୟ ଲାଭ କରନ୍ତି । ଏହି ଆଲୋଚନାରୁ ଜଣାଯାଏ, ଶକ୍ତିରୂପିଣୀ ଦେବୀ ନାରାୟଣୀ ସ୍ନେହମୟୀ ଜନନୀହିଁ କେବଳ । ସେ ସନ୍ତାନର ଅସତ୍ ଆଚରଣକୁ ବିନାଶ କରିବା ପାଇଁ ଆବଶ୍ୟକ ହେଲେ ଖଡ୍ଗ ଧାରଣ କରିପାରନ୍ତି । ପୁନଶ୍ଚ ସତ୍ ପଥରେ ପରିଚାଳିତ ହେଲେ ସନ୍ତାନକୁ ଅଭୟ ଦେଇ ବର ପ୍ରଦାନ କରି ପାରନ୍ତି ।
ଆଜିର ଏହି ଶୁଭ ବେଳାରେ, "ହେ ମାତୃସ୍ଵରୂପିଣୀ ଆଦ୍ୟାଶକ୍ତି ଜଗଜ୍ଜନନୀ, ତୁମ୍ଭ ଧରାପୃଷ୍ଠରେ ଅବତରଣ ମଙ୍ଗଳମୟ ହେଉ । ତୁମର ଆଶିର୍ବାଦ ଲାଭ କରି ଦେଶର ଅଗଣିତ ସନ୍ତାନ ସଦ୍ ବୁଦ୍ଧି ଯୁକ୍ତ ହୋଇ ସଂଗଠିତ ଭାବେ ଗଣଶକ୍ତିର ସୃଜନ କରନ୍ତୁ । ସେମାନଙ୍କ ସାମଜିକ ଜୀବନ ସ୍ଵାଭିମାନ ଯୁକ୍ତ ଆତ୍ମ ନିର୍ଭରଶୀଳ ହୋଇ ବିଶ୍ଵ ଦରବାରରେ ଗୌରବାନ୍ଵିତ ହେଉ । ତୁମ କୃପା କଟାକ୍ଷରେ ବିଶ୍ଵ ବକ୍ଷରୁ ହିଂସା, ଦ୍ଵେଷ, ଘୃଣା, କପଟତା ସମୂଳେ ଧ୍ଵଂସ ହେଉ । ମହାଲକ୍ଷ୍ମୀ ଅର୍ଣ୍ଣପୂର୍ଣ୍ଣା ରୂପେ ବିଶ୍ଵର ଭରଣ ପୋଷଣ, ମହାସରସ୍ଵତୀ ରୂପେ ଜଡତା-ଅଜ୍ଞାନ ଅନ୍ଧକାରର ବିନାଶ ଏବଂ ମହାକାଳ ରୂପେ ଦୁଷ୍ଟ ଦଳନ କରି ଶାନ୍ତି ସ୍ଥାପନାରେ ତୁମେ ସହାୟକ ହୁଅ ।" ଏହା ହିଁ ମୋର ତବ ଶ୍ରୀଚରଣ କମଳେ ବିନମ୍ର ପ୍ରାଥନା ।
"ଯା ଦେବୀ ସର୍ବ ଭୁତେଷୁ ଶକ୍ତି ରୂପେଣ ସଂସ୍ଥିତା
ନମସ୍ତସୈ ନମସ୍ତସୈ ନମସ୍ତସୈ ନମୋ ନମଃ ।"
No comments:
Post a Comment